ଏଣିକି ମନରେଗାରେ ଏସଏଚଜିଙ୍କୁ ଗୁରୁତ୍ୱ
ମନରେଗା କାର୍ଯ୍ୟନ୍ୱୟନରେ ସ୍ୱୟଂ ସହାୟକ ଗୋଷ୍ଠୀ

ଏଣିକି ମନରେଗା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯିବ। ବିଶେଷକରି ଏହି ଯୋଜନାର ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି । ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ବେଳେ ଯୋଜନାର ଯଦି ସଫଳ ରୂପାୟନ ହୁଏ ତାହେଲେ ଏହା ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଅଧିକ ଆତ୍ମନିର୍ଭର ତଥା ଆର୍ଥିକ ରୂପେ ସଶକ୍ତ କରିପାରିବ ବୋଲି ଆଶା କରାଯାଉଛି । ମନରେଗାରେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକମାନଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଛି। ଏହା ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଜୀବିକା ନିର୍ବାହକୁ ସୁରକ୍ଷିତ କରିପାରିଛି। ଏହାସହ ମନରେଗା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଯୋଗଦାନକୁ ଏହି ଯୋଜନା ଅଧିକ ବଳ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ମିଶନ ଶକ୍ତି ବିଭାଗ ଅଧିନରେ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଥିବା ବେଳେ ଏମାନଙ୍କୁ ମନରେଗାର ସଫଳ କାର୍ଯ୍ୟନ୍ୱୟ ପାଇଁ ନିୟୋଜିତ କରିବାକୁ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।