ବାଣିଜ୍ୟ

ହ୍ରାସ ହେଲା ଅଶୋଧିତ ତୈଳ ମୂଲ୍ୟ

ଜାଣନ୍ତୁ ଶୁକ୍ରବାର ବାରଲପିଛା ଦର କେତେ ?

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲପିଛା ମୂଲ୍ୟ ଶୁକ୍ରବାର ୧୦୦ ଡଲାରରୁ ପଛକୁ ଫେରିଛି। ଗୁରୁବାର ଋଷିଆ ଅଚାନକ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହ ଆକ୍ରମଣ ଆରମ୍ଭ କରିଥିଲା। ଫଳରେ ନିବେଶକଙ୍କ ମଧ୍ୟରେ ନିରାଶା ଛାଇ ଯାଇଥିଲା। ଶୁକ୍ରବାର ଦ୍ୱିତୀୟ ଦିନ ମଧ୍ୟ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଜାରି ରହିଛି। ତେବେ ଯୋଗାଣରେ ଉପୁଜିଥିବା ବ୍ୟବଧାନ ଦୂର ହୋଇଥିବା ବେଳେ କ୍ରୁଡ ମୂଲ୍ୟରେ ହ୍ରାସ ଦେଖାଯାଇଛି। ଶୁକ୍ରବାର ବ୍ରେଣ୍ଟ କ୍ରୁଡ ବାରଲପିଛା ୦.୩୮ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡଦରରେ ୦.୧୬ ପ୍ରତିଶତ ହ୍ରାସ ହୋଇଛି। ଫଳରେ ଏବେ ବ୍ରେଣ୍ଟ କ୍ରୁଡ ୯୮.୭ଡଲାର ପ୍ରତି ବାରଲ କାରବାର କରିଥିବା ବେଳେ ଟେକ୍ସାସ କ୍ରୁଡ ୯୨.୬୪ ଡଲାରରେ କରାବାର କରୁଥିବା ଜଣାପଡିଛି।

କେବଳ ଅଶୋଧିତ ତୈଳ ନୁହେଁ ସୁନା ଦର ମଧ୍ୟ ଅନ୍ତର୍ଜାତୀୟ ବଜାରରେ ତଳକୁ ଖସିଛି। ଗୁରୁବାର ସେଫ ହେଭେନ ଗୋଲ୍ଡ ଦରରେ ୦.୨୬ ପ୍ରତିଶତ ବୃଦ୍ଧି ହୋଇଥିଲା। ଫଳରେ ଆଉନ୍ସ ପିଛା ୧ ହଜାର ୯୦୮ ଡଲାର ବୃଦ୍ଧି ହୋଇଥିବା ବେଳେ ଶୁକ୍ରବାର କିଛି ମାସ ପୂର୍ବର ନିମ୍ନତମ ସ୍ତର ୧,୯୭୩.୯୬ ଡଲାରରେ କାରବାର ହୋଇଛି। ସେହିପରି ଆର୍ଥିକ ବଜାର ମଧ୍ୟ ଶୁକ୍ରବାର ବେଶ ସୁସ୍ଥ ଥିବା ଦେଖା ଯାଇଛି। ବଜାରରେ ସ୍ୱଭାବିକ କାରବାର ଚାଲିଥିବା ବେଳେ ଆମେରିକା ଟ୍ରେଜରୀ ଶୁକ୍ରବାର ୧.୯୫୪ ପ୍ରତିଶତରେ ସ୍ଥିର ରହିଛି। ତେବେ ଗୁରୁବାର ଏଥିରେ ୧.୮୪ ପ୍ରତିଶତ ହ୍ରାସ ହୋଇଥିଲା। ଯାହା ଗତ ନଭେମ୍ବର ଶେଷ ସପ୍ତାହ ପରେ ଦୈନିକ ସର୍ବାଧିକ ହ୍ରାସ ବୋଲି ବିଚାର କରାଯାଇଥିଲା। ସେହିପରି ମୁଦ୍ରାବିନିମୟ ବଜାର ମଧ୍ୟ ଗୁରୁବାର ଅପେକ୍ଷା ବେଶ ଭଲ ଅଛି। ଗୁରୁବାର ଇୟୁରୋପୀୟ ମୁଦ୍ରା ମୂଲ୍ୟରେ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା।

Show More

Related Articles

Back to top button