ଦିନକୁ ଦିନ ବଢିବାରେ ଲାଗୁଛି ଇମ୍ରାନ ଖାନଙ୍କ ଅଡୁଆ
ଇମ୍ରାନ ଖାନ୍ ଏବେ କୌଣସି ମୁହୁର୍ତ୍ତରେ ବି ଗିରଫ ହୋଇପାରନ୍ତି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗୁଛି। ଆସ୍ଥା ଭୋଟ ହାରି ଗାଦିଚ୍ୟୁତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ କୌଣସି ମୁହୁର୍ତ୍ତରେ ବି ଗିରଫ ହୋଇପାରନ୍ତି। ନିଜର ପରାଜୟକୁ ସହଜରେ ସେ ହଜମ କରିପାରୁନାହାନ୍ତି । ଏଥିପାଇଁ ଇମ୍ରାନ ଖାନ୍ କେତେବେଳେ ରାଲି କରି ସମର୍ଥକଙ୍କୁ ବାହାରିବାକୁ କହୁଛନ୍ତି ତ କେତେବେଳେ ବିଦେଶରେ ହଙ୍ଗାମା କରୁଛନ୍ତି ତାଙ୍କ ସମର୍ଥକମାନେ। ପରିଣତି ସ୍ୱରୂପ ବିଦେଶର ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଦେଶଗୁଡ଼ିକ ପାକିସ୍ତାନ ନାଗରିକ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ନିକଟରେ ସାଉଦି ଆରବ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ପାକିସ୍ତାନୀ ପ୍ରତିନିଧୀ ମଦିନାର ମସଜିଦ-ଇ-ନବାବିରେ ପହଞ୍ଚିଥିଲେ। ଏଠାରେ ଶାହାବାଜ ସରିଫ ଏବଂ ଅନ୍ୟ ପାକିସ୍ତାନୀ ମନ୍ତ୍ରୀମାନେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନେ ମସଜିଦ ଭିତରକୁ ଯିବା ମାତ୍ରେ ପାକିସ୍ତାନୀ ପ୍ରତିନିଧି ଦଳ ବିରୋଧରେ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ଶାହବାଜ ସରିଫଙ୍କ ବିରୋଧରେ ସ୍ଲୋଗାନବାଜି ଏବେ ଇମ୍ରାନ ଖାନଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି । ଫୈସଲାବାଦରେ ଇମ୍ରାନ ଖାନ ଏବଂ ତାଙ୍କର ପାଞ୍ଚଜଣ ସହଯୋଗୀଙ୍କ ବିରୋଧରେ ଧର୍ମଦ୍ରୋହ ମାମଲା ରୁଜୁ ହୋଇଛି।
ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମଦୀନାରେ ବିଭିନ୍ନ ନାରାବାଜି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବ । ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ସୂଚନା ଥାଉକି, ସାଉଦିର ମଦିନାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ବିରୋଧରେ ‘ଚୋର୍-ଚୋର୍’ ନାରା ଲଗାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇଙ୍ଗିତରେ ଏ ସମସ୍ତ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପାକ୍ ଗୃହମନ୍ତ୍ରୀ ।