୨୦୨୧ରେ ଭାରତରେ ୧.୬୪ ଲକ୍ଷରୁ ଅଧିକ ଆତ୍ମହତ୍ୟା ଜନିତ ମୃତ୍ୟୁ
ଏନସିଆରବି ରିପୋର୍ଟରୁ ଖୁଲାସା
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଏହି ରିପୋର୍ଟ ଅନୁସାରେ ୨୦୨୧ରେ ଆତ୍ମହତ୍ୟା ଯୋଗୁଁ ୧.୬୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ପ୍ରତିଦିନ ପ୍ରାୟ ୪୫୦ ଏବଂ ପ୍ରତି ଘଣ୍ଟାରେ ୧୮ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି। ଏହି ସଂଖ୍ୟା ଆଜି ଯାଏଁର ସବୁଠୁ ଅଧିକ । ଆଲୋଚ୍ୟ ବର୍ଷରେ ଆତ୍ମହତ୍ୟାରେ ମୋଟ ୧.୧୯ ଲକ୍ଷ ପୁରୁଷଙ୍କ ଜୀବନ ଯାଇଛି । ଏହାସହ ୪୫,୦୨୬ ଜଣ ମହିଳା ଏବଂ ୨୮ ଜଣ କିନ୍ନର ଆତ୍ମହତ୍ୟାରେ ଜୀବନ ହାରିଛନ୍ତି। ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ଦେଶରେ ଆତ୍ମହତ୍ୟାର ୧.୫୩ ଲକ୍ଷ ମାମଲା ରେକର୍ଡ ହୋଇଥିଲା । ସେହିପରି ରିପୋର୍ଟ ଅନୁସାରେ, ୨୦୧୯ରେ ୧.୩୯ ଲକ୍ଷ, ୨୦୧୮ରେ ୧.୩୪ ଲକ୍ଷ ଜଣ ଆତ୍ମହତ୍ୟା କରିଥିଲେ।
ସେହିପରି ୨୦୧୭ରେ ଆତ୍ମହତ୍ୟା ସଂଖ୍ୟା ୧.୨୯ ଲକ୍ଷ ରେକର୍ଡ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୧୯୮୦ ମସିହାରେ ଦେଶରେ ପ୍ରଥମ ଥର ପାଇଁ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୫୦,୦୦୦ ଅତିକ୍ରମ କରିଥିଲା। ଏବଂ ୧୯୯୧ରେ ଏହି ସଂଖ୍ୟା ୭୫,୦୦୦ ହଜାର ହୋଇଥିଲା । ସେହିପରି ୧୯୯୮ରେ ଆତ୍ମହତ୍ୟାରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ପରଠୁ ଏହି ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି, ଏନସଆରବିର ରିପୋର୍ଟ ଅନୁସାରେ, କ୍ୟାରିୟର ସମସ୍ୟା, ଏକୁଟିଆପଣ, ଦୁର୍ବ୍ୟବହାର, ହିଂସା, ପାରିବାରିକ ସମସ୍ୟା, ମାନସିକ ବିଶାଦ, ମଦର ନିଶା ଏହି ସବୁ ଆତ୍ମହତ୍ୟା ପଛର ମୁଖ୍ୟ କାରଣ।