
କୁନି କୁନି ପିଲାମାନେ ପାଠ୍ୟ ପୁସ୍ତକରେ ‘କୁର୍କୁରେ’, ‘ଚକୋଲେଟ୍’, ‘ଫ୍ରୁଟି’ ଆଦି ଜଙ୍କ୍ ଫୁଡ୍ର ଛବି ପଢୁଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଭଳି ପାଠ୍ୟପୁସ୍ତକକୁ ବଦଳାଇବାକୁ ସେମାନେ ଦାବି କରିଛନ୍ତି । କରୋନା ଯୋଗୁଁ ଗତ ଦୁଇବର୍ଷ ସ୍କୁଲ ବନ୍ଦ ରହିବାରୁ ପାଠପଢ଼ା ବହୁଳ ଭାବେ ପ୍ରଭାବିତ ହୋଇଛି । ତେଣୁ ସେମାନଙ୍କୁ ସେହି ପୁରୁଣା ପାଠ ପଢ଼ାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ପୁନରୁଦ୍ଧାର ଯୋଜନା (ଏଲ୍ଆର୍ପି) କରାଯାଇଛି । ଏହା ମାଧ୍ୟମରେ ତୃତୀୟରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ପୂର୍ବ ଦୁଇବର୍ଷର ପାଠ୍ୟକ୍ରମକୁ ନେଇ ପୁସ୍ତିକା ତିଆରି କରାଯାଇଛି । କିନ୍ତୁ ଚତୁର୍ଥ ଶ୍ରେଣୀ ପିଲାଙ୍କ ପାଇଁ କରାଯାଇଥିବା ତୃତୀୟ ଶ୍ରେଣୀର ପଠନ ପୁସ୍ତିକାରେ ଭାଷା ବହିରେ ଜଙ୍କ୍ ଫୁଡ୍ର ଛବି ରହିଛି ।
ଏଥିରେ ‘କୁର୍କୁରେ’, ‘ଫ୍ରୁଟି’, ‘ହର୍ଲିକ୍ସ’, ‘ଚକୋଲେଟ୍’, ‘ପାର୍ଲେଜି ବିସ୍କୁଟ୍’, ‘ଟାଟା ଲୁଣ’ ଆଦି ଛବି ସହ ଇଂରାଜୀ ଭାଷାରେ ଏ ସବୁର ନାମ ଲେଖାଯାଇଛି । ଯାହାଦ୍ୱାରା ପାଠର ମାନ ହ୍ରାସ ହେଉଛି ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି । ଅଭିଭାବକ ଶିକ୍ଷା ବିଭାଗର ଏଭଳି ତ୍ରୁଟିକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଆମ ଓଡ଼ିଆ ଭାଷା କୋଷରେ ଏତେ ଶବ୍ଦ ଥାଇ ମଧ୍ୟ ଏଭଳି ଛବି ଓ ଶବ୍ଦ କାହିଁକି ଲେଖାଗଲା? ପିଲାଙ୍କୁ ଛବି ଦେଖାଇ ପଢ଼ାଇବା ପାଇଁ କ’ଣ ଫଳ, ଫୁଲ ଆଦିର ନାମ ନାହିଁ? ପୃଷ୍ଟିକର ଖାଦ୍ୟ ପଦାର୍ଥର ନାମ ଅଭାବ ଅଛି କି? ଅନେକ ଦର୍ଶନୀୟ ସ୍ଥାନକୁ କାହିଁକି ସ୍ଥାନିତ କରାଯାଇପାରିଲା ନାହିଁ? ଏଭଳି ପ୍ରଶ୍ନ କରିଛନ୍ତି ଅଭିଭାବକ । ଏହାସହ ଏହି ପାଠ୍ୟ ପୁସ୍ତିକା ତୁରନ୍ତ ବଦଳାଇବାକୁ ସେମାନେ ଦାବି କରିଛନ୍ତି । ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ ସହ ଏହି ପୁରୁଣା ପାଠ୍ୟକ୍ରମ ତୃତୀୟରୁ ଏକାଦଶ ଶ୍ରେଣୀ ପିଲାଙ୍କୁ ପଢ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ଚଳିତ ମାସ ପ୍ରଥମ ସପ୍ତାହରୁ ଏହି ପାଠ୍ୟକ୍ରମ ପଢ଼ାଇବାକୁ କୁହାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ପଠନ ପୁସ୍ତିକା ସବୁ ପ୍ରସ୍ତୁତ ହୋଇନାହିଁ । ସବୁ ପିଲାଙ୍କ ପାଖରେ ବହି ପହଞ୍ଚି ନାହିଁ । ତେଣୁ ଅଭିଭାବକମାନେ ଦାବି କରିଛନ୍ତି, ତୃତୀୟ ଶ୍ରେଣୀ ବହିର ଛବି ପଠନ ବିଷୟରେ ଥିବା ଏହି ଛବିଗୁଡ଼ିକୁ ଉଠାଯାଇ ଆଉ ଅଲଗା ଛବି ଚିତ୍ରିତ କରାଯାଉ ।