
ଏପ୍ରିଲ ଆରମ୍ଭରୁ ଦେଶରେ ତାତି ବଢିଛି । ପାଗରେ ପରିବର୍ତ୍ତନ ସହ ଉତ୍ତର ଭାରତ ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ରାଜସ୍ଥାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ ପ୍ରବଳ ଗରମ ଆରମ୍ଭ ହୋଇଛି। ତାପମାତ୍ରରେ ବୃଦ୍ଧି ଯୋଗୁଁ ବନାଗ୍ନି ବିପତ୍ତି ସୃଷ୍ଟି ହୋଇଛି। ରାଜସ୍ଥାନର ସରିସ୍କା ୯୦ ଘଣ୍ଟା ଯାଏଁ ଜଳୁଥିଲା। ଏହାସହ ଗତ କିଛି ଦିନରେ ଜମ୍ମୁ କଶ୍ମୀର ଏବଂ ହିମାଚଳ ପ୍ରଦେଶ ସହ ଦେଶର ଅନେକ ରାଜ୍ୟରେ ହଜାର ହଜାର ଏକର ଜଙ୍ଗଲ ନିଆଁରେ ଜଳି ନଷ୍ଟ ହୋଇଛି। ଭାରତୀୟ ଜଙ୍ଗଲ ସର୍ଭେକ୍ଷଣ ଅନୁସାରେ, ମାର୍ଚ୍ଚ ୨୮ରୁ ୩୦ ମଧ୍ୟରେ ଦେଶର ଜଙ୍ଗଲ ଗୁଡିକରେ ୧୬ ହଜାର ୮୪୦ ଜଙ୍ଗଲ ଜଳିବା ଘଟଣା ସାମ୍ନାକୁ ଆସିଛି । ଏଥିରୁ ୨୧୧ଟି ବଡ଼ ଧରଣର ଥିଲା।
ଏଥିରେ ମଧ୍ୟ ପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଏବଂ ଝାଡଖଣ୍ଡର ଅନେକ ଜଙ୍ଗଲ ସାମିଲ ରହିଛି। ଦେଶର ବିଭିନ୍ନ ଜଙ୍ଗଲ ଜଳିବା ପରେ ବନ୍ୟ ସମ୍ପଦ ଏବଂ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ମତ ଅନୁସାରେ, ମାର୍ଚ୍ଚରେ ତାପମାତ୍ରା ସାମାନ୍ୟରୁ ଅଧିକ ରହିବା ଯୋଗୁଁ ଜଙ୍ଗଲରେ ନିଆ ଲାଗିଥାଏ। ଜଙ୍ଗଲରେ ଗଛରୁ ଝଡ଼ିଥିବା ଶୁଖିଲା ପତ୍ର ଏବଂ ଛୋଟିଆ ଛୋଟିଆ ଡାଳ ଜାଲେଣିର କାମ କରିଥାଏ। ଗଛର ଡାଳ ଗୁଡିକରେ ଘର୍ଷଣ ଏବଂ ସୂର୍ଯ୍ୟଙ୍କ ଉତପ୍ତ କିରଣ ଜଙ୍ଗଲରେ ନିଆଁ ଲାଗିବାରେ ଏକ ପ୍ରମୁଖ କାରଣ। ତେବେ ମଣିଷଙ୍କ ଅବହେଳା ଜଙ୍ଗଲରେ ନିଆଁର ଲାଗିଥାଏ।