ଦେଶରେ ବୃଦ୍ଧି ହେଲା ଚା, ଦୁଗ୍ଧ ଓ ଏହି ସବୁ ସାମଗ୍ରୀର ମୂଲ୍ୟ
ମୁଦ୍ରାସ୍ପିତି ବୃଦ୍ଧିରେ ସାଧାରଣ ଖାଉଟିଙ୍କ ଅଣ୍ଟା ଭାଙ୍ଗିଛି। ଏ କଥା ଆମେ ନୁହେଁ କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ସ୍ୱୀକାର କରିଛନ୍ତି

ମନ୍ତ୍ରାଳୟଙ୍କ ୱେବ୍ ସାଇଟ୍ରେ ପ୍ରଦତ୍ତ ତଥ୍ୟ ଅନୁସାରେ ୧ ଏପ୍ରିଲ ୨୦୨୦ ମୁକାବିଲାରେ ୧ ଏପ୍ରିଲ ୨୦୨୧ରେ ଖାଦ୍ୟ ତୈଳ ମୁଲ୍ୟରେ ୪୭ପ୍ରତିଶତ, ଡାଲି ମୂଲ୍ୟରେ ୧୭, ଖୋଲା ଚା ମୂଲ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହି ଅନୁସାରେ ଚାଉଳ ଦରରେ ୧୪.୬୫ ଓ ଗହମ ଏବଂ ଅଟା ମୂଲ୍ୟରେ ୩.୨୬ ପ୍ରତିଶତ ବୃଦ୍ଧି ହୋଇଛି।ତଥ୍ୟ ଅନୁସାରେ ଗତ ୧ ବର୍ଷରେ ଖାଇବା ତେଲ ମୂଲ୍ୟ ସର୍ବାଧିକ ବୃଦ୍ଧି ହୋଇଛି। ପ୍ୟାକେଟ୍ ପାମ ତେଲ ପ୍ରତି ଲିଟର ଦର ୮୭ ଟଙ୍କାରୁ ବଢି ୧୨୧ ଟଙ୍କାକୁ ପହଞ୍ଚିଛି।
ସୂର୍ଯ୍ୟମୁଖୀ ତେଲ ୧୦୬ରୁ ୧୫୭, ବନସ୍ପତି ତୈଳ ୮୮ଟଙ୍କାରୁ ୧୨୧ ଓ ସୋରିଷ ତେଲ ୧୧୭ରୁ ଲିଟର ପିଛା ଦର ୧୫୧ ଟଙ୍କାକୁ ଛୁଇଁଛି। ଏଥିରେ ବାଦାମ ତେଲ ଲିଟର ପିଛା ଦର ୧୩୯ରୁ ୧୬୫ ଓ ସୋୟା ତେଲ ୯୯ଟଙ୍କାରୁ ବଢି ଲିଟର ୧୩୩ ଟଙ୍କାକୁ ଛୁଇଁଛି।କେବଳ ଡାଲି, ଚାଉଳ, ଗହମ କି ତେଲ ନୁହେଁ ଦୁଗ୍ଧ ଓ ଚା ଦର ମଧ୍ୟ ଢେର ବଢିଛି। ଦେଶରେ ଖୋଲା ଚା ପ୍ରତି କେଜି ଦର ୨୧୭ରୁ ୨୮୧ ଟଙ୍କାକୁ ପହଞ୍ଚିଛି। ଏଥିରୁ ଚା ଦରରେ ମୋଟ ୨୯ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଲୁଣ ଦରରେ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଏଥିରେ ଦୁଗ୍ଧ ଦର ମାତ୍ର ୭ ପ୍ରତିଶତ ମହଙ୍ଗା ହୋଇଥିବା କୁହାଯାଇଛି। କେନ୍ଦ୍ର ମନ୍ତ୍ରାଳୟଙ୍କ ଏହି ତଥ୍ୟ ସାରା ଦେଶରେ ଥିବା ୧୩୫ ଖୁଚୁରା କେନ୍ଦ୍ର ମଧ୍ୟରୁ ୧୧୧ଟିର ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି। ଏଥିରେ ଡାଲି ମୂଲ୍ୟରେ ହରଡ ପ୍ରତି କେଜି ୯୧ ଟଙ୍କାରୁ ବଢି ୧୦୬ ଟଙ୍କାରେ ବିକ୍ରି ହେଉଛି। ବିରିଡାଲି ୯୯ରୁ ୧୦୯, ମସୁର ୬୮ରୁ ୮୦, ମୁଗ ଡାଲି କେଜି ପିଛା ଦର ୧୦୩ରୁ ୧୦୫କୁ ବଢିଛି।