
ଆଇପିଏଲ-୨୦୨୧ର ବଳକା ମ୍ୟାଚ୍ ୟୁଏଇରେ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ୨ଟି ନୂଆ ଫ୍ରାଞ୍ଚାଇଜି ଟିମ୍ର ନିଲାମ ସାରିବାକୁ ଲକ୍ଷ୍ୟ ରଖିଛି ।ଏଥିପାଇଁ ଜୁଲାଇରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।ଗତ କିଛିଦିନ ଧରି ଆଇପିଏଲରେ ୮ଟି ଟିମ୍ ୧୦ରେ ପହଁଚିବ ବୋଲି ଚର୍ଚ୍ଚା ଜାରି ରହିଛି । ଏକ ରିପୋର୍ଟ ଅନୁସାରେ, ଗୋଟିଏ ଆଇପିଏଲ ଟିମ୍ କିଣିବାକୁ ଚାହୁଁଥିବା ଏକ କମ୍ପାନୀର ସିଇଓ ଏ ବାବଦରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲ କର୍ତ୍ତୃପକ୍ଷ ଆସନ୍ତା ମାସରେ ବିଜ୍ଞପ୍ତି ପ୍ରକାଶ କରିବେ ।
ଏନେଇ ସେ କିଛି ମାସ ହେଲା ଅପେକ୍ଷା କରିଥିଲେ । ନିଲାମ ମୂଲ୍ୟ ୨୫ କୋଟି ଡଲାର ରହିପାରେ ।କ୍ରିକବଜ୍ର ଖବର ଅନୁସାରେ, ରେଡବାର୍ଡ କ୍ୟାପିଟାଲ୍ସ ଆଇପିଏଲର ଏକ ଟିମ୍ କିଣିବାକୁ ଆଗ୍ରହ ପ୍ରକାଶ କରିଛି । ଏହା ରାଜସ୍ଥାନର ୧୫ ପ୍ରତିଶତ ଅଂଶ ମଧ୍ୟ କ୍ରୟ କରିଛି । ତେବେ ମହାମାରୀ ପାଇଁ ଟିମ୍ ଦାମରେ ହ୍ରାସ ପାଇବ ନାହିଁ । ସୂତ୍ରାନୁସାରେ, ଅନେକ ବ୍ୟକ୍ତି ଆଇପିଏଲ ଫ୍ରାଞ୍ଚାଇଜି କିଣିବା ତାଲିକାରେ ରହିଛନ୍ତି । ତେବେ କେଉଁ ନୂଆ ଦଳ ଆଇପିଏଲରେ ସାମିଲ ହେବେ ତାହା ଜୁଲାଇରେ ଜଣାପଡିବ ।