ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଟେଷ୍ଟିଂ ସଂଖ୍ୟା ବଢାଇବା ସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଉଛି। ଏହାକୁ କେମିତି ଅଧିକ ତ୍ଵରାନ୍ଵିତ କରାଯାଇ ପାରିବ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତି କ୍ରମେ ଆରଟି ପିସିଆର ଲ୍ୟାବ୍ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି

ଏହି ଅର୍ଥରେ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଆରଟି ପିସିଆର ଲ୍ୟାବ୍।୧୬ ଜିଲ୍ଲାରେ ଲ୍ୟାବ୍ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଜିଲ୍ଲାଗୁଡିକ ହେଉଛନ୍ତି ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡା ଓ ବରଗଡ। ପ୍ରତି ଲ୍ୟାବ୍ରେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଓ ୩ ଟେକ୍ନିସିଆନଙ୍କୁ ନିଯୁକ୍ତ କରାଯିବ।
ସୂଚନାଯୋଗ୍ୟ, ଯେତେ ଅଧିକ ଟେଷ୍ଟିଂ ହୋଇ ପାରିବ ସେହି ଅନୁସାରେ ରୋଗୀ ଚିହ୍ନଟ ସହ କରୋନା ମୁକାବିଲା ଆହୁରି ପ୍ରଭାବଶାଳୀ ହୋଇ ପାରିବ। ପୁଣି ଦେଶରେ ତୃତୀୟ ଲହର ନେଇ ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଛନ୍ତି। ଏବେଠୁ ପ୍ରସ୍ତୁତି କରିବାକୁ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲାରେ ଆରଟି ପିସିଆର ଲ୍ୟାବ୍ ହେବାକୁ ଯାଉଛି। କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ।