
କୋଭିସିଲ୍ଡ ଟିକାର ଅଭାବ ପାଇଁ ଏବେ ଟିକାକରଣ ବନ୍ଦ ରହିଛି। ଟିକାକରଣ ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କୁ ୬ ଲକ୍ଷ ଡୋଜ୍ ଟିକା ମାଗିଥିଲେ ରାଜ୍ୟ ସରକାର । ହେଲେ କେନ୍ଦ୍ର ସରକାର ଟିକା ନଯୋଗାଇବାରୁ ରାଜ୍ୟରେ ୧୫ ଶହ ୬୦ ଟିକାକରଣ କେନ୍ଦ୍ରରୁ ୧୩ ଶହ ୫୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଏପଟେ ଜୁନ୍ ମାସର କୋଟା ଅନୁସାରେ କୋଭାକ୍ସିନ ଟିକା ମଧ୍ୟ ଆସିନି । ତେବେ ଶିଶୁମାନଙ୍କୁ ନିମୋନିଆ ଏବଂ ଫୁସଫୁସ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ ପି.ସି.ଭି. ଟିକାକରଣ ଶୁଭାରମ୍ଭ ହୋଇଛି ।ଯାଜପୁର ଜିଲ୍ଲାରେ ଜୁଲାଇ ୩ ଯାଏଁ ଟିକାକରଣ ବନ୍ଦ । ଜିଲ୍ଲାପାଳ କରିଛନ୍ତି ଟୁଇଟ୍ । କେବଳ ଯାଜପୁର ନୁହେଁ ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ, ବଲାଙ୍ଗିର, ଅନୁଗୁଳ, ବାଲେଶ୍ବର, ଢେଙ୍କାନାଳ, ଝାରସୁଗୁଡା, ସୋନପୁର ଏମିତି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ। କୋଭିସିଲଡ ଟିକା ଅଭାବ ଯୋଗୁଁ ଏଭଳି ଅବସ୍ଥା । ଡେଲଟା ପ୍ଲସ ଭାଇରସ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି । ଆଉ ଏବେ ଟିକାର ଅଭାବ ଚିନ୍ତାର କାରଣ ହୋଇଛି। କେନ୍ଦ୍ର ସରକାର ଜୁନ ମାସର କୋଟା ଅନୁସାରେ ରାଜ୍ୟକୁ ୧୯ଲକ୍ଷ୫୮ହଜାର୩୭୦ ଡୋଜ ଟିକା ଦେଇଛନ୍ତି । ଯାହା ୨୮ ତାରିଖରୁ ଶେଷ ହୋଇ ଗଲାଣି । ରାଜ୍ୟ ସରକାର ଦିନକୁ ତିନି ଲକ୍ଷ ଲୋକଙ୍କୁ ଟିକାକରଣ କରୁଛନ୍ତି । ସେଥିପାଇଁ ଆଉ ୬ ଲକ୍ଷ ଟିକା ରାଜ୍ୟକୁ ଯୋଗାଇ ଦେବାକୁ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଜୁନ ମାସ ସରିଗଲା ଟିକା ଆସିଲା ନାହି। ଏପରକି ବର୍ତମାନ ସୁଦ୍ଧା ଜୁଲାଇ ମାସର କୋଟା ବି ପହଞ୍ଚିନାହିଁ। ସେହିଭଳି ଜୁନମାସର କୋଭାକ୍ସିନ କୋଟା ମଧ୍ୟ ଦେଇନାହାନ୍ତି କେନ୍ଦ୍ର ସରକାର। ୪ଲକ୍ଷ ୩୧ ହଜାର୧୩୦ ଡୋଜ କୋଭାକ୍ସିନ ଟିକା ଦେବା କଥା ହେଲେ ବର୍ତମାନ ସୁଦ୍ଧା ୯୦ ହଜାର ୨୮୦ ଡୋଜ୍ ଟିକା ଆସିନି ।
ଟିକା ନୀତି ପରିବର୍ତ୍ତନ କରିବାକୁ ବାରମ୍ବାର ସ୍ବାସ୍ଥ୍ୟ ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ସୁଦ୍ଧା କେନ୍ଦ୍ର ସରକାର ବିଚାର କରୁନାହାନ୍ତି । ଯେଉଁଥିପାଇଁ ରାଜ୍ୟ ମଧ୍ୟ କୋଟା ଟିକା ହରାଉଛି।କରୋନା ଟିକା ଅଭାବ ଥିବାବେଳେ ସାରା ରାଜ୍ୟରେ ଶିଶୁ ମାନଙ୍କୁ ନିମୋନିଆ ଓ ଫୁସଫୁସ ସଂକ୍ରମଣରୁ ରକ୍ଷା କରିବା ପାଇଁ ନୂଆ ଟିକା ପିସିଭି ର ଭର୍ଚ୍ଚୁଆଲ୍ ମୋଡ୍ରେ ଶୂଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଏହି ଟିକା ପ୍ରତିବର୍ଷ ରାଜ୍ୟର ୮ ଲକ୍ଷ ଶିଶୁ ଦିଆଯିବ। ଶିଶୁ ଜନ୍ମ ହେବାର ୬ ସପ୍ତାହ ପରେ ପ୍ରଥମ ଡୋଜ, ୧୪ ସପ୍ତାହ ପରେ ଦ୍ବିତୀୟ ଡୋଜ ଏବଂ ୯ ମାସ ପରେ ବୁଷ୍ଟର ଡୋଜ ଦିଆଯିବ। ଏହି ଟିକା ପଲସ ପୋଲିଓ ଦିଆଯାଉଥିବା ଟିକାକରଣ ଦିନ ମାନଙ୍କରେ ଦିଆଯିବ। ଏହି ଟିକା ନେବା ଦ୍ବାରା ଶିଶୁ ମାନଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତ ସୃଷ୍ଟି ହେବ। ବର୍ତମାନ ରାଜ୍ୟରେ ୮୮ହଜାର ୪ ଡୋଜ୍ ଟିକା ଉପଲବ୍ଧ ଅଛି।ଦିନକୁ ସାଢ଼େ ତିନି ଲକ୍ଷ କରୋନା ଟିକା ଦେବାକୁ ରାଜ୍ୟସରକାର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ହେଲେ ଟିକା ଅଭାବ ପାଇଁ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରୁ ନାହିଁ । ତେବେ ଆଜି ୧ଲକ୍ଷ ଡୋଜ କୋଭିସିଲଡ ଟିକା ପହଞ୍ଚିବାର ସୂଚନା ମିଳିଛି। ଏବେ ସୁଦ୍ଧା ରାଜ୍ୟରେ ୧କୋଟି୧୮ଲକ୍ଷ ୩୫ହଜାର ୭୭୦ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇସାରିଛି । ୯୬ ଲକ୍ଷ ୨୯ହଜାର ୭୭୪ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୨୨ଲକ୍ଷ୫ହଜାର୯୯୬ ଜଣ ଦ୍ବିତୀୟ ଡୋଜ ନେଇ ଟିକା ନେଇଛନ୍ତି ।