Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଆଉ ଦୁଇଦିନ ଅସମ୍ଭାଳ ଶୀତ

୧୦ ଡିଗ୍ରୀ ତଳେ ୧୦ ସହର

ଆହୁରି ଦୁଇ ଦିନ ଥରାଇବ ଶୀତ । ଶୀତ ଲହରି ଜାରି ରହିବ । ରବିବାର ସକାଳ ଓ ରାତିରେ ପ୍ରବଳ ଶୀତ ଥରହର କରିବ। ସୋମବାର ସକାଳୁ ବି ଅସମ୍ଭାଳ ଶୀତରୁ ତ୍ରାହି ମିଳିବନି । ଶନିବାର ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । କିଛି ଦିନ ହେବ ଶୀତ ଲହରି ଜାରି ରହିଛି । ବାୟୁମଣ୍ଡଳର ତଳଭାଗରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ଆସୁଛି । ଏହାର ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶନିବାର ୧୦ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ପାରଦ ୬ ଡିଗ୍ରୀ ରହିଛି । ଭବାନୀପାଟଣା, ସୋନପୁର ଓ କେନ୍ଦୁଝରରେ ୮ ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ ରହିଛି । ଅନୁଗୁଳ, ନୟାଗଡ଼, କୋରାପୁଟ ଓ ବଲାଙ୍ଗୀରରେ ପାରଦ ୯ ଡିଗ୍ରୀ ଥିଲା । ବୌଦ୍ଧରେ ୧୦, ହୀରାକୁଦରେ ୧୦.୧, ବାରିପଦାରେ ସର୍ବନିମ୍ନ ୧୦.୨ଡିଗ୍ରୀ ଥିଲା । ଛତ୍ରପୁର, ମାଲକାନଗିରି ଓ ତାଳଚେରରେ ପାରଦ ୧୧ଡିଗ୍ରୀ ରହିଥିଲା ।

ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରର କିଛି ସ୍ଥାନରେ ଶୀତ ଲହରି ବହିବ । ଏହି ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳୁ ବି ଶୀତ ଲହରି କମିବନି । ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ାରେ ଭୋର୍‌ରୁ ପ୍ରବଳ ଶୀତ ହେବ । ସୋମବାର ରାତିରୁ ଶୀତ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ଓ କ୍ରମଶଃ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Show More

Related Articles

Back to top button