ପଶ୍ଚିମବଙ୍ଗରେ ଇଡିର ଚଢଉ
ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ଘନିଷ୍ଠଙ୍କ ଘରୁ ମିଳିଲା ଟଙ୍କାର ପାହାଡ

ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ ଜାରି ରହିଛି । ରାଜ୍ୟ ସ୍କୁଲ ସେବା ଆୟୋଗ ଏବଂ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡରେ ଭର୍ତ୍ତି ଘୋଟାଲାରେ ଏହି ଚଢଉ କରାଯାଉଛି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିଭିନ୍ନ ଠିକଣାରେ ଚଢଉ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କାର ନଗଦ ରାଶି ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ନଗଦ ଟଙ୍କାର ଫଟୋକୁ ଟ୍ୱିଟ କରି କହିଛି, ‘ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରୀ ବୋର୍ଡ ଏଜୁକେସନ ବୋର୍ଡରେ ଭର୍ତ୍ତି ସହ ଜଡିତ ଏକ ମାମଲାରେ ଇଡି ଚଢଉ କରିଛି’।

ସୂତ୍ର ଅନୁସାରେ ଇଡିର ଆଠ ଜଣ ଅଧିକାରୀ ସକାଳ ପ୍ରାୟ ସାଢେ ୮ଟାରେ ଚଢଉ ଆରମ୍ଭ କରିଥିଲେ । ଅର୍ପିତାଙ୍କ ଘରୁ ମିଲିଥିବା ଏହି ନଗଦ ଟଙ୍କାକୁ ଗଣିବା ପାଇଁ ବ୍ୟାଙ୍କ କର୍ମଚାରୀ ଏବଂ ଟଙ୍କା ଗଣିବା ମେସିନର ସାହାଯ୍ୟ ନେବାକୁ ପଡିଥିଲା । ଏହାସହ ଅର୍ପିତାଙ୍କ ଘରୁ ୨୦ରୁ ଅଧିକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଏତେ ସଂଖ୍ୟାର ଫୋନ କେଉଁ କାମରେ ବ୍ୟବହାର କରାଯାଉଥିଲା ସେ ଦିଗରେ ମଧ୍ୟ ଏଜେନ୍ସି ତଦନ୍ତ ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗର ସୁପାରିଶରେ ସରକାରୀ ସ୍କୁଲରେ ‘ସି’ ଏବଂ ‘ଡି’ ଶ୍ରେଣୀର କର୍ମଚାରୀ ଏବଂ ଶିକ୍ଷକଙ୍କ ଭର୍ତ୍ତିରେ ହୋଇଥିବା କଥିତ ଅନିୟମିତତାର ତଦନ୍ତ କରୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲା ସହ ଜଡିତ ମନି ଲଣ୍ଡରିଂର ତଦନ୍ତ କରୁଛି।



