Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସାରା ରାଜ୍ୟରେ ବଢୁଛି ତାତି

ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ବଢ଼ୁଛି ତାତି । କେତେକ ଜିଲ୍ଲାରେ ଦିନର ତାପମାତ୍ର ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ୧୫ ଓ ୧୬ ତାରିଖରେ କେତେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ । ସେଥିପାଇଁ ୟେଲା ୱାର୍ଣ୍ଣିଂ ବା ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ କହିଛନ୍ତି, ଆଗାମୀ ୩ରୁ ୪ ଦିନ ଯାଏଁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦୁଇ ତିନି ଦିନ ଯାଏଁ ରାଜ୍ୟର ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ୧୫ ଓ ୧୬ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୫ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।

ସେଥିପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି । ଠିକ୍‌ ସେହିପରି ୧୬ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି । ଅନୁରୂପ ଭାବେ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ତୃତୀୟ ସପ୍ତାହରେ ସାରା ରାଜ୍ୟରେ ତାତି ବଢ଼ିବ । ଦକ୍ଷିଣ-ପଶ୍ଚିମ ଓଡ଼ିଶା ଅପେକ୍ଷାକୃତ ଭାବେ ଅଧିକ ଗରମ ରହିବ । ରାଜ୍ୟକୁ ଉତ୍ତର-ପଶ୍ଚିମ ଭାରତ ଓ ସଂଲଗ୍ନ ପାକିସ୍ତାନରୁ ପବନ ଆସୁଛି । ତେବେ ଆସନ୍ତାକାଲିରୁ ସେଠି ତାପମାତ୍ରା ବିଶେଷ ଭାବେ ବଢୁଛି । ଏଣୁ ସେଠୁ ଗରମ ପବନ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟକୁ ଆସିବାରୁ ରାଜ୍ୟରେ ଗରମ ବଢ଼ିବ । ଉପକୂଳ ଜିଲ୍ଲାରେ ଆସନ୍ତା ୪ଦିନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ ବଢ଼ିବ। ଭୁବନେଶ୍ୱରରେ ୧୬ ତାରିଖରେ ୪୦ ଡିଗ୍ରୀ ସେଲସିୟସ୍‌ ପାରଦ ଛୁଇଁପାରେ । ତେବେ ୧୫ରେ ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମାଲକାନଗିରି ଓ ଝାରସୁଗୁଡ଼ାରେ ପାରଦ ୪୦ ସେଲସିୟସ୍‌ ଛୁଇଁବ । ତା’ ପରେ କ୍ରମଶଃ ବଢ଼ିବ ।

କେତେକ ସ୍ଥାନରେ ୪୨ରୁ ୪୩ ଡିଗ୍ରୀ ସେଲସିୟସ୍‌ ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ନୟାଗଡ଼ରେ ୧୯ରେ ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁବ । ତାହା କ୍ରମଶଃ ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ପାଗ ଦିନରେ ଶୁଖିଲା ରହିବ । ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ ଆକଳନ କରିଛନ୍ତି । ଶନିବାର ରାଜ୍ୟର ୩ଟି ଜିଲ୍ଲାର ତାପମାତ୍ରା ୩୭ ସେଲସିୟସ୍‌ ଉପରେ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୩୭.୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ବଲାଙ୍ଗୀରରେ ୩୭.୫ ସେଲସିୟସ୍‌ ଓ ଛତ୍ରପୁରରେ ୩୭ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।

Show More

Related Articles

Back to top button