ବିସ୍କୁଟ ଓ ଦିଆସିଲି ପରେ ଏବେ ସାବୁନ ସର୍ଫ ହେଲା ମହଙ୍ଗା

ଗ୍ରାହକଙ୍କୁ ଏବେ ଚିନ୍ତାରେ ପକାଉଛି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି । ଗୋଟିଏ ପଟେ ପେଟ୍ରୋଲ,ଡିଜେଲ ଦର ମହଙ୍ଗା ଥିବାବେଳେ ପନିପରିବା ଓ ଖାଇବା ତେଲ ଆକାଶ ଛୁଆଁ ହୋଇଛି । ଏପଟେ ଛୋଟମୋଟ ଆବଶ୍ୟକୀୟ ଜିନିଷର ଦାମ ବି ହୁହୁ ହୋଇ ବଢ଼ି ଚାଲୁଛି ।
ତେଲ, ଡାଲି , ଚାଉଳ, ସାବୁନ, ବିସ୍କୁଟ୍ ଓ ଦିଆସିଲି ଆଦି ବି ସବୁ ମହଙ୍ଗା ହେଲାଣି । କରୋନା ସମୟରେ ମୁକ୍ତ ବିଚରଣ ଓ ସ୍କୁଲ୍ କଲେଜ ଉପରେ କଟକଣା ଲାଗୁଥିବାରୁ ଇଣ୍ଟର୍ନେଟ୍ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ହେଲେ ଅନ୍ୟ ଦେଶ ତୁଳନାରେ ଭାରତରେ ଡାଟା ଶସ୍ତା କହି କହି କମ୍ପାନୀମାନେ ନିଜ ନିଜ ଟାରିଫି ପ୍ଲାନ୍କୁ ଆଖିବୁଝା ବଢାଇଲେ । ପୂର୍ବୁର ଏୟ୍ରାଟେଲ୍ ଭୋଡ଼ା-ଆଇଡିଆ ରିଚାର୍ଜ ପ୍ଲାନ ବଢ଼ାଇଥିବା ବେଳେ ଗତକାଲି ଜିଓ ୨୦ ପ୍ରତିଶତ ରେଟ ବଢ଼ାଇଛି । ସବୁକିଛିର ଦରଦାମ ବଢୁଥିବା ବେଳେ ଏବେ ଡିଟରଜେଣ୍ଟ ପାଉଡର ମୂଲ୍ୟ ବି ବଢ଼ିଛି ।
ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ କମ୍ପାନୀ(HUL) ଓ ଆଇଟିସି ଲିମିଟେଡ୍ ନିଜ ନିଜର ଆବଶ୍ୟକୀୟ ସାମଗ୍ରୀ ଉପରେ ମୂଲ୍ୟ ବୃଦ୍ଧି କରିଛନ୍ତି । ମୂଲ୍ୟ ବୃଦ୍ଧି ପଛରେ କମ୍ପାନୀ କହିଛି ଖର୍ଚ୍ଚ ଅଧିକ ହେଉଥିବାରୁ ବାଧ୍ୟ ହୋଇ ମୂଲ୍ୟ ବଢ଼ାଇବାକୁ ପଡ଼ିଲା । ଏଥିପାଇଁ ଏକ କିଲୋ ହ୍ୱିଲ୍ ପାଉଡର ଉପରେ କମ୍ପାନୀ ୩.୫ ପ୍ରିତଶତ ମୂଲ୍ୟ ବୃଦ୍ଧି କରିଛି ।
କିଛି ନିର୍ଦ୍ଦିଷ୍ଟ ସାମଗ୍ରୀର ଏକ କିଲୋ ଓ ଅଧା କିଲୋ ପ୍ୟାକେଟ୍ ଉପରେ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି କମ୍ପାନୀ କହିଛି। ଅଧା କିଲୋ ୱିଲ୍ଗୁଣ୍ଡ ପ୍ୟାକେଟ୍ରେ ଦୁଇ ଟଙ୍କା ବଢ଼ାଯାଇଛି । କେବଳ ସେତିକି ନୁହେଁ କମ୍ପାନୀ ରିନ ଡିଟରଜେଣ୍ଟ ଓ ଲକ୍ସ ସାବୁନର ମୂଲ୍ୟ ବି ବଢ଼ାଇ ଦେଇଛି । ସମସ୍ତ କମ୍ପାନୀ ଏହିସବୁ ସାମଗ୍ରୀର ଦର ବଢ଼ାଇଛନ୍ତି । ତେବେ ମୂଲ୍ୟ ବୃଦ୍ଧି କରିବା ସବୁ ସମସ୍ୟାର ସମାଧାନ ନୁହେଁ । ଅଧିକ ମୂଲ୍ୟ ବଢ଼ାଇ ଗ୍ରାହକଙ୍କ ଉପରେ ଚାପ ପକାଇ ହେବ ନାହିଁ । ତେଣୁ କଷ୍ଟ କଟିଂରେ ବି ଧ୍ୟାନ ଦିଆଯାଉଛି ବୋଲି ଏଚ୍ୟୁଏଲ୍ କମ୍ପାନୀ କହିଛି ।
ଇନ୍ଧନର ମୂଲ୍ୟ ବୃଦ୍ଧି ହେତୁ ଗତ କିଛି ମାସ ହେଲା ସମସ୍ତ କଞ୍ଚାମାଲ୍ର ମୂଲ୍ୟ ବଢ଼ିଯାଇଛି । ଫଳରେ କମ୍ପାନୀମାନେ ମହାଙ୍ଗାମାଡ଼ର ଶିକାର ହୋଇଛନ୍ତି । ଏଥିପାଇଁ କମ୍ପାନୀ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧି କରୁଛନ୍ତି ।