ଆଜି ଲିଡ୍ସରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ, ବିଜୟ ଲକ୍ଷ୍ୟରେ ଉଭୟ ଦଳ
ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ । ଲର୍ଡ୍ସ ଟେଷ୍ଟର ସଫଳତାକୁ ହେଡିଂଲେରେ ଦୋହରାଇ ଟିମ ଇଣ୍ଡିଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଦଳ ପାଇଁ ଏହି ମ୍ୟାଚ୍ ବଡ଼ ଚ୍ୟାଲେଞ୍ଜ ନେଇ ଆସିଛି ।

ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ । ଲର୍ଡ୍ସ ଟେଷ୍ଟର ସଫଳତାକୁ ହେଡିଂଲେରେ ଦୋହରାଇ ଟିମ ଇଣ୍ଡିଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଦଳ ପାଇଁ ଏହି ମ୍ୟାଚ୍ ବଡ଼ ଚ୍ୟାଲେଞ୍ଜ ନେଇ ଆସିଛି ।
ଏହି ଟେଷ୍ଟ ଜିତି ଭାରତ ଏକ ବିରଳ ସଫଳତା ଅର୍ଜନ କରିବାର ସୁଯୋଗ ରହିଛି । ୧୯୮୬ଗସ୍ତରେ କପିଳ ଦେବଙ୍କ ଭାରତୀୟ ଦଳ ଇଂଲଣ୍ଡରେ ୨ଟି ଟେଷ୍ଟ ଜିତିଥିଲା । ଏହା ପରଠୁ ଭାରତୀୟ ଦଳ କୌଣସି ଇଂଲଣ୍ଡ ଗସ୍ତରେ ୨ଟି ଟେଷ୍ଟ ଜିତି ନାହିଁ । ବିରାଟ କୋହଲିଙ୍କ ଦଳ ଏଥର କପିଳଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବ ।
୧୯୮୬ ଇଂଲଣ୍ଡ ଗସ୍ତ ସମୟରେ ଭାରତ ୩ଟି ଟେଷ୍ଟ ଖେଳି ୨-୦ରେ ସିରିଜ ବିଜୟୀ ହୋଇଥିଲା । ବର୍ମିଂହାମ୍ରେ ପ୍ରଥମ ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା । ଏହାପରେ ଲିଡ୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ୨୭୯ ରନ୍ରେ ବିଜୟ ହାସଲ କରିଥିଲା । ସେହିପରି ଲର୍ଡ୍ସରେ ଅନୁଷ୍ଠିତ ତୃତୀୟ ଟେଷ୍ଟକୁ ୫ ୱିକେଟ୍ରେ ଜିତି ଭାରତ ସିରିଜ ବିଜୟୀ ହୋଇଥିଲା ।
ଲିଡ୍ସରେ ଭାରତର ପ୍ରଦର୍ଶନ ଭଲ ରହିଆସିଛି । ୨୦୦୨ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଏଠାରେ ଅନୁଷ୍ଠିତ ଏକ ଟେଷ୍ଟକୁ ଇନିଂସ ଓ ୪୬ ରନ୍ରେ ଜିତିଥିଲା । ଏହି ମ୍ୟାଚ୍ରେ ରାହୁଲ ଦ୍ରାବିଡ(୧୪୮), ସଚିନ ତେନ୍ଦୁଲକର(୧୯୩) ଓ ଗାଙ୍ଗୁଲି(୧୨୮) ଶତକ ଅର୍ଜନ କରିଥିଲେ ।
ଭାରତକୁ ହରାଇବା ପାଇଁ ଇଂଲଣ୍ଡକୁ ସବୁ ଶକ୍ତି ଖଟାଇବାକୁ ପଡ଼ିବ । ତେବେ ଏହା ପୂର୍ବରୁ ଦଳର ବ୍ୟାଟିଂ ଦୁର୍ବଳତାକୁ ଦୂର କରିବାକୁ ପଡ଼ିବ । କେବଳ ରୁଟ୍ଙ୍କୁ ଛାଡିଦେଲେ ଅନ୍ୟ କେହି ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ତୃତୀୟ ଟେଷ୍ଟରେ ବେୟାରଷ୍ଟୋ ଓ ଜୋସ ବଟଲରଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଦଳକୁ ଫେରିଥିବା ଦାୱିଦ ମଲାନ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ଇଂଲଣ୍ଡର ଦୁର୍ବଳତା ଦୂର ହୋଇପାରିବ । ଲର୍ଡ୍ସରେ ବିଜୟ ପରେ ଭାରତ ଆଜି ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ମଧ୍ୟ ସଂକେତ ଦେଇସାରିଛନ୍ତି । ତଥାପି ପିଚ୍ ସ୍ପିନରଙ୍କୁ ସୁହାଇବାର ସମ୍ଭାବନା ଥିବାରୁ ଅଶ୍ୱିନଙ୍କୁ ଏକାଦଶରେ ସୁଯୋଗ ମିଳିପାରେ ।
ଆହତ ଜର୍ଜରିତ ଇଂଲଣ୍ଡ ଦଳରେ ଏକାଧିକ ପରିବର୍ତ୍ତନ ହେବ । ମାର୍କ ଉଡ୍ ଆହତ ଥିବାରୁ ତାଙ୍କ ସ୍ଥାନରେ କ୍ରେଗ ଓଭରଟନ କିମ୍ବା ସାକିବ ମହମ୍ମଦଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ । ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ହୋଇସାରିଛି । ରୋରି ବର୍ଣ୍ଣସଙ୍କ ସହ ହସିବ ହମିଦ ଓପନ କରିବେ । ଫଳରେ ୨ବର୍ଷ ପରେ ଦଳକୁ ଫେରିଥିବା ଦାୱିଦ ମଲାନ ୩ନଂ ସ୍ଥାନରେ ବ୍ୟାଟିଂ କରିବେ ।
ପ୍ରଥମ ୨ଟି ଟେଷ୍ଟରେ ଶତକ ଅର୍ଜନ କରିଥିବା ଜୋ ରୁଟ୍ ଚଳିତ ବର୍ଷ ୧୦ଟି ଟେଷ୍ଟ ଖେଳି ୧୨୭୭ ରନ୍ ସଂଗ୍ରହ କରିସାରିଛନ୍ତି । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ନିକଟତର ହୋଇପାରି ନାହାନ୍ତି । ରୋହିତ ଶର୍ମା ୬୯୦ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ହେଡିଂଲେରେ ରୁଟଙ୍କୁ ଅଟକାଇବା ଭାରତୀୟ ଦଳ ପାଇଁ ପ୍ରଥମ କାର୍ଯ୍ୟ ହେବ ।
ପିଚ୍: ଇଂଲଣ୍ଡ ଜଳବାୟୁରେ ପେସ୍ ବୋଲର ସଫଳତା ଅର୍ଜନ କରିବା ନିଶ୍ଚିତ । ତଥାପି ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ସାମାନ୍ୟ ଭିନ୍ନ ରହିବା ଆଶା କରାଯାଉଛି । ଲିଡ୍ସରେ ବର୍ଷା ସମ୍ଭାବନା ନଥିବା ସ୍ଥାନୀୟ ପାଣିପାଗ ସୂତ୍ରରୁ ପ୍ରକାଶ । ତେଣୁ ୫ଦିନ ମଧ୍ୟରେ ସ୍ପିନରମାନେ ମଧ୍ୟ ପିଚ୍ରୁ ଯଥେଷ୍ଟ ଫାଇଦା ଉଠାଇ ପାରିବେ । ଲର୍ଡ୍ସ ଭଳି ଏଠାରେ ପିଚ୍ରେ ଘାସ ରଖାଯାଇ ନାହିଁ । ଭାରତ ଦ୍ୱିତୀୟ ସ୍ପିନର ଭାବେ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳାଇବା ଆଶା କରାଯାଇପାରେ ।