ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଓଆଇସି ମହାସଚିବ ପିଓକେ ଗସ୍ତ କରିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଭାରତ

ନୂଆଦିଲ୍ଲୀ: ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନ(ଓଆଇସି)ର ମହାସଚିବ ହିସେନ ବ୍ରାହିମ ତାହା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଭାରତ। ଏଥିସହ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ହିସେନ ବୟାନ ଦେବା ଆଦୌ ଓଆଇସିର କ୍ଷମତା ପରିସର ମଧ୍ୟରେ ଆସୁନାହିଁ ବୋଲି ଭାରତ ସରକାର କହିଛନ୍ତି।

ହିସେନଙ୍କ ପିଓକେ ଗସ୍ତ ଓ ଜମ୍ମୁ-କଶ୍ମୀର ସମ୍ପର୍କରେ ଓଆଇସି ଦେଇଥିବା ବୟାନକୁ କଡ଼ା ବିରୋଧ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି। ସେ କହିଛନ୍ତି, ଓଆଇସି କିମ୍ବା ଏହାର ମହାସଚିନ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରିବା ଆଦୌ ଗ୍ରହଣୀୟ ନୁହେଁ। ଓଆଇସି ପୂର୍ବରୁ ହିଁ ନିଜର ଉତ୍ତରଦାୟିତ୍ୱ ହରାଇ ସାରିଛି।

ଅନ୍ଧଭାବେ ସାଂପ୍ରଦାୟିକତା, ପକ୍ଷପାତିତା ଓ ତଥ୍ୟଗତ ତ୍ରୁଟିକୁ ସମର୍ଥନ କରି ଓଆଇସି ନିଜର ବିଶ୍ୱସନୀୟତା ହରାଇଛି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଓଆଇସିର ମହାସଚିବ ଗସ୍ତ କରିବା ଓ ପାକିସ୍ତାନ ଗସ୍ତ ବେଳେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମତ ଦେବା ଘଟଣାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ।

ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମତାମତ ଦେବାକୁ ଓଆଇସି ପାଖରେ କୌଣସି ଅଧିକାର ନାହିଁ। କାରଣ ଜମ୍ମୁ-କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଓଆଇସି ମହାସଚିନବ ଦୁର୍ଭାଗ୍ୟବଶତଃ ପାକିସ୍ତାନର ମୁଖପାତ୍ର ସାଜିଛନ୍ତି। ଆମର ଆଶା ଭାରତରେ ପାକିସ୍ତାନ ଜାରି ରଖିଥିବା ସୀମା ପାର ଆତଙ୍କବାଦକୁ ରୋକିବା ପାଇଁ ଓଆଇସି ମହାସଚିବ ସକ୍ରିୟ ଭୂମିକା ଗ୍ରହଣ କରିବେ।

ପିଓକେ ଗସ୍ତ ପରେ ଓଆଇସି ମହାସଚିବ ହିସେନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ଜମ୍ମୁ-କଶ୍ମୀର ସମସ୍ୟା ପ୍ରସଙ୍ଗ ଉଠାଇବା ସହ ବିବାଦର ସମାଧାନ ପାଇଁ ସେ କୂଟନୀତିକ ସ୍ତରରେ ଉଦ୍ୟମ ଚାଲିଥିବା କହିଥିଲେ। ଓଆଇସି ଜମ୍ମୁ-କଶ୍ମୀର ବିବାଦ ଉପରେ ଭାରତ ଓ ପାକିସ୍ତାନ କେମିତି ଆଲୋଚନା କରିବେ, ସେଥିପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରୁଥିବା ହିସେନ କହିଥିଲେ।

Show More

Related Articles

Back to top button