
ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ମୁକାବିଲା । ପ୍ରଥମ ଦୁଇ ମ୍ୟାଚ୍ରେ ପରାଜିତ ହେବା ପରେ ତୃତୀୟ ଟ୍ବେଣ୍ଟି-୨୦କୁ ଭାରତ ଜିତିବା ସହ ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ତଥାପି ପରବର୍ତ୍ତୀ ଦୁଇ ମ୍ୟାଚ୍ ଭାରତ ପାଇଁ କର ବା ମର ସଦୃଶ ହୋଇଛି। ସିରିଜ ଜିତିବାକୁ ହେଲେ ଚତୁର୍ଥ ମ୍ୟାଚ୍ ପ୍ରଥମେ ହାତେଇବା ଜରୁରୀ ହୋଇପଡ଼ିଛି। ସଂପୂର୍ଣ୍ଣ ନୂଆ ପରିବେଶରେ ଚତୁର୍ଥ ମ୍ୟାଚ୍ ଖେଳାଯିବ। ଫ୍ଲୋରିଡାର ଲୌଡରହିଲ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଆମେରିକାରେ ମାତ୍ର ଏହି ଗୋଟିଏ ଷ୍ଟାଡିୟମ୍କୁ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ପାଇଁ ଆଇସିସି ଅନୁମତି ଦେଇଛି। ୨୦୦୭ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍ରେ ୨୦୧୦ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପୁରୁଷ ଓ ମହିଳା ବର୍ଗରେ ମୋଟ ୧୪ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଏଠାରେ ଆୟୋଜିତ ହୋଇଛି। ସେଥିମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଏହି ଷ୍ଟାଡିୟମ୍ରେ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୪ ଥର ବିଜୟୀ ହୋଇଛି। …