ଶିକ୍ଷା ଦ୍ୱାରା ହିଁ ଅର୍ଥନୀତିର ସୁପର ପାଓ୍ୱାର ହେବ ଭାରତ : ଧର୍ମେନ୍ଦ୍ର ପ୍ରଧାନ
ଆମ ସଭ୍ୟତାର ବୌଦ୍ଧିକ ସମ୍ପତି ହେଉଛି ଆମ ଶିକ୍ଷା ବ୍ୟବସ୍ଥା ।

ଆମ ସଭ୍ୟତାର ବୌଦ୍ଧିକ ସମ୍ପତି ହେଉଛି ଆମ ଶିକ୍ଷା ବ୍ୟବସ୍ଥା । ‘ବସୁଧୈବ କୁଟୁମ୍ୱକମ’ ପଥରେ ଆମ ସଭ୍ୟତାର ବୌଦ୍ଧିକ ସମ୍ପତ୍ତି ଓ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଅପାର କ୍ଷମତାକୁ ଏକତ୍ରିତ କରିବାକୁ ପଡିବ । ଏହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଅଧିକ ଉନ୍ନତ୍ତି ହେବ ଏବଂ ବିଶ୍ୱର ମଙ୍ଗଳ ହୋଇପାରିବ । ଯଦି ଭାରତକୁ ଆମେ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ଭାବରେ ପ୍ରତିଷ୍ଠିତ କରିବାକୁ ଚାହୁଁଛେ ତେବେ ଆମକୁ ଶିକ୍ଷାର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୟ ମୁକ୍ତ ବିଦ୍ୟାଳୟର (ଇଗ୍ନୋ)ର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗ ଦୋଇ ଶ୍ରୀ ପ୍ରଧାନ କହିଲେ ରାଷ୍ଟ୍ରୀୟ ଶିକ୍ଷା ନୀତି ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ଭାବେ ଉଭା ହୋଇଛି । ଆମକୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କୁ ନବସୃଜନ ଦ୍ୱାରା ସଶକ୍ତ କରିବାକୁ ପଡିବ । ସବୁଠି ଶିକ୍ଷା ଉପଲବ୍ଧ କରିବାକୁ ପଡିବ ।ଡିଜିଟାଲ ବିଶ୍ୱବିଦ୍ୟାଳୟ ଓ ଇ-ଲର୍ଣ୍ଣିଂ ଏ ଉଦ୍ଦେଶ୍ୟରେ ଏକ ବଡ ପଦକ୍ଷେପ । ଶିକ୍ଷା ଓ ପାଠପଢା ସମୟରେ ରୋଜଗାର ପାଇଁ ପ୍ରୋତ୍ସାହିତ କରିବା ଆମ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଉଚିତ୍ ।


