ଟସ୍ ଜିତି ବୋଲିଂ କରୁଛି ଭାରତ

ଆଇସିସି ଦିନିକିଆ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ଆଜି ଧର୍ମଶାଳାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨୧ତମ ମ୍ୟାଚ ଆରମ୍ଭ ହୋଇଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରୁଛି ।
ଦୁଇ ଦଳ ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ଅପରାଜୟ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଅନୁମାନ କରାଯାଉଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଆଫଗାନିସ୍ତାନକୁ ୮ ୱିକେଟରେ, ପାକିସ୍ତାନକୁ ୭ ୱିକେଟରେ ଓ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି। ବ୍ୟାଟିଂରେ ରୋହିତ ଶର୍ମା ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୬୫ରନ, ବିରାଟ କୋହଲି ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୨୫୯ରନ କରିଛନ୍ତି। ଭାରତର ଶୀର୍ଷ ୫ ବ୍ୟାଟ୍ସମ୍ୟାନ ରୋହିତ, ଗିଲ୍, ବିରାଟ କୋହଲି, ରାହୁଲ ଓ ଶ୍ରେୟାଶ ପ୍ରଥମ ୪ଟି ମ୍ୟାଚରେ ବ୍ୟାଟିଂ ଭାର ସମ୍ଭାଳିବାରେ ସଫଳ ହୋଇଛନ୍ତି।
ଟମ୍ ଲଥାମଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଛି। ୪ଟି ମ୍ୟାଚରୁ ଦଳ ୪ଟି ବିଜୟ ହାସଲ କରି ୮ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି। ଦଳ ଇଂଲଣ୍ଡକୁ ୯ ୱିକେଟରେ, ନେଦରଲାଣ୍ଡ୍ସକୁ ୯୯ରନରେ, ବାଂଲାଦେଶକୁ ୮ ୱିକେଟରେ ଓ ଆଫଗାନିସ୍ତାନକୁ ୧୪୯ରନରେ ପରାସ୍ତ କରିଛି। ଡିଭନ କନ୍ୱେ ୨୪୯ରନ, ରଚିନ ରବୀନ୍ଦ୍ର ୨୧୫ରନ, ଡ୍ୟାରେଲ ମିଚେଲ ୧୩୮ରନ କରିଛନ୍ତି। ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ୩ଟି ମ୍ୟାଚ ଜିତିଥିବା ବେଳେ ଦୁଇଟି ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି।