ଭାରତର ଦ୍ୱୀପ ଅଞ୍ଚଳ ଚୀନ ବିରୋଧରେ ସାମରିକ ଶକ୍ତିକୁ ଦେଉଛି ମଜବୁତି

ନୂଆଦିଲ୍ଲୀ: ଭାରତର ଲକ୍ଷଦ୍ୱୀପ ଓ ଆଣ୍ଡାମାନ-ନିକୋବାର ଦ୍ୱୀପପୁଞ୍ଜ ଦେଶର ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ସହ ଚୀନର ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବାରେ ମୁଖ୍ୟ ଭୂମିକା ନିଭାଉଛି।
ସୂଚନା ଅନୁସାରେ, ପ୍ରତିମାସ ଭାରତୀୟ ସାଗର ଅଞ୍ଚଳରେ ପ୍ରାୟ ୬-୭ଟି ଚୀନର PLA ନେଭି ଜାହାଜ ଦେଖାଯାଉଛି। ଆସନ୍ତା କିଛି ବର୍ଷରେ ଏହି ଅଞ୍ଚଳରେ ଏୟାରକ୍ରାଫ୍ଟ କ୍ୟାରିଅର ଭିତ୍ତିକ ଟାସ୍କ ଫୋର୍ସ ମଧ୍ୟ ପ୍ରବେଶ କରିପାରେ।
ଯଦିଓ ଆଣ୍ଡାମାନ-ନିକୋବାର କମାଣ୍ଡ ବହୁ ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିଲା, ଭାରତର ସେନା ନୀତି ଦୀର୍ଘ ସମୟ ଧରି ଭୂମିକେନ୍ଦ୍ରିକ ରହିଥିଲା। କିନ୍ତୁ ୨୦୧୪ ପରେ ଭାରତ ସାମୁଦ୍ରିକ ସୁରକ୍ଷାକୁ ଗୁରୁତ୍ୱ ଦେଇଆସୁଛି।
ଚୀନ ନେଭିର ବୃଦ୍ଧିଶୀଳ କ୍ରିୟାକଳାପକୁ ଦୃଷ୍ଟିରେ ରଖି ଭାରତ ଏବେ ଦ୍ୱୀପ ଅଞ୍ଚଳରେ ଦୀର୍ଘ ପରିସରର ସାମରିକ କ୍ଷମତା ବିକାଶ କରିବାରେ ଲାଗିଛି। ଏହା ମାଧ୍ୟମରେ ସମୁଦ୍ରରେ ନିୟନ୍ତ୍ରଣ ଓ ଶତୃଦେଶଙ୍କୁ ରୋକିବାର କ୍ଷମତା ବଢ଼ିବ।
ପୂର୍ବତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଗ୍ରେଟ୍ ନିକୋବାରର କ୍ୟାମ୍ପବେଲ୍ ବେକୁ ଏକ ଟ୍ରାନ୍ସଶିପମେଣ୍ଟ ହବ୍ ଓ ସାମରିକ ଆଧାର କେନ୍ଦ୍ର ଭାବେ ଉନ୍ନତ କରିବାର ଯୋଜନା କରିଥିଲେ। ଏହା ଭାରତକୁ ରଣନୀତିକ ଭାବେ ଶକ୍ତିଶାଳୀ କରିପାରିବ।
ଏହି ଦ୍ୱୀପଗୁଡ଼ିକ ମାଲାକ୍କା, ସୁଣ୍ଡା ଓ ଲମ୍ବୋକ୍ ଭଳି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ଉପରେ ନିୟନ୍ତ୍ରଣ ରଖିବାର ସୁଯୋଗ ଦେଇଥାଏ, ଯାହା ଭାରତ ପାଇଁ ରଣନୀତିକ ଭାବେ ବହୁତ ଗୁରୁତ୍ୱପୂର୍ଣ୍ଣ।
ତେବେ, ପ୍ରଶାସନିକ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟାର କାରଣରୁ ଏହି ପ୍ରକଳ୍ପଗୁଡ଼ିକ ଆଶା କରାଯାଇଥିବା ଗତିରେ ଆଗକୁ ବଢ଼ୁନାହିଁ।
ବିଶେଷଜ୍ଞମାନଙ୍କ ମତାନୁସାରେ, ଭାରତ ପାଇଁ ଏବେ ସର୍ବପ୍ରଥମ ଆବଶ୍ୟକତା ହେଉଛି ସାମୁଦ୍ରିକ କ୍ଷମତା ବଢ଼ାଇବା ଓ ଦ୍ୱୀପ ଅଞ୍ଚଳକୁ ସଠିକ୍ ଭାବରେ ବିକାଶ କରିବା।


