ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଆପାତକାଳୀନ ଅବତରଣ

ଉଡ଼ାଣ ସମୟରେ ପ୍ରାୟୋଗିକ ତ୍ରୁଟି ଦେଖାଦେବା ପରେ ଇଣ୍ଡିଗୋର ବିମାନ ସଂଖ୍ୟା ୬ଇ-୫୭୯ ଶନିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଆପାତକାଳୀନ ଅବତରଣ କରିଛି।
ସୂଚନା ଅନୁଯାୟୀ, ବିଶାଖାପଟ୍ଟଣମରୁ ଦିଲ୍ଲୀମୁଖୀ ଏହି ବିମାନଟି ଉଡ଼ାଣ ସମୟରେ ଏକ ଇଞ୍ଜିନ୍ରେ ତ୍ରୁଟି ଦେଖାଦେଇଥିଲା। ପରିସ୍ଥିତିର ଗୁରୁତ୍ୱ ବୁଝି ପାଇଲଟ୍ମାନେ ତୁରନ୍ତ ଆପାତକାଳୀନ ଅବତରଣ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁମତି ଅନୁରୋଧ କରିଥିଲେ।
ବିମାନବନ୍ଦର କର୍ତ୍ତୃପକ୍ଷ ଅନୁସାରେ, ସକାଳ ୧୦:୩୯ରେ ପୂର୍ଣ୍ଣ ଆପାତକାଳୀନ ସତର୍କତା ଘୋଷଣା କରାଯାଇଥିଲା। ପରେ ପ୍ରାୟ ୧୦:୫୪ରେ ବିମାନଟି ରନୱେ ସଂଖ୍ୟା ୨୮ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଅବତରଣ ପୂର୍ବରୁ ସମସ୍ତ ଆପାତକାଳୀନ ସେବାକୁ ସଚେତନ ଓ ପ୍ରସ୍ତୁତ ରଖାଯାଇଥିଲା।
ବିମାନରେ ଥିବା ୧୬୧ ଯାତ୍ରୀ ଓ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ସହ କୌଣସି ଦୁର୍ଘଟଣା ଘଟିନାହିଁ। ବିମାନରେ ମଧ୍ୟ କୌଣସି କ୍ଷତି ଘଟିନଥିବା ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ବର୍ତ୍ତମାନ ବିମାନଟିକୁ ପରୀକ୍ଷାଧୀନ ରଖାଯାଇଛି ଏବଂ ଇଞ୍ଜିନ୍ ତ୍ରୁଟିର ସଠିକ୍ କାରଣ ନିର୍ଣ୍ଣୟ ପାଇଁ ତଦନ୍ତ ଚାଲିଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀ ଓ କ୍ରୁଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ନିୟମିତ ପ୍ରକ୍ରିୟା ଅନୁସରଣ କରାଯାଇଥିଲା।



