
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରୁ ‘ଆପ୍ରୁଭର’ ହେବା ପାଇଁ କରିଥିବା ଆବେଦନ ଫେରାଇ ନେଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେଲେ କଥିତ ଠକ ସୁକେଶ ଚନ୍ଦ୍ରଶେଖର।
ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କ ଆବେଦନକୁ ବିରୋଧ କରି କହିଥିଲା ଯେ, ତଦନ୍ତ ସମୟରେ ସେ ସଠିକ୍ ସହଯୋଗ କରିନଥିଲେ ଏବଂ ସମସ୍ତ ସତ୍ୟ ତଥ୍ୟ ପ୍ରକାଶ କରିନଥିଲେ। ଇଡି ଅଭିଯୋଗ କରିଛି ଯେ, ସୁକେଶଙ୍କ ଅପରାଧିକ ପୃଷ୍ଠଭୂମି ଜାଣିବା ପରେ ମଧ୍ୟ ଜ୍ୟାକଲିନ୍ ତାଙ୍କ ସହ ଯୋଗାଯୋଗରେ ରହିଥିଲେ।
ତଦନ୍ତ ଏଜେନ୍ସି ଅନୁସାରେ, ସୁକେଶ ଅପରାଧରୁ ଆସିଥିବା ଟଙ୍କାରେ ଜ୍ୟାକଲିନଙ୍କୁ ପ୍ରାୟ ୭ କୋଟି ଟଙ୍କାର ଦାମୀ ଉପହାର ଦେଇଥିଲେ। ତେବେ ଜ୍ୟାକଲିନ୍ ସଦା ଦାବି କରିଆସୁଛନ୍ତି ଯେ, ସୁକେଶଙ୍କ ଅବୈଧ କାର୍ଯ୍ୟକଳାପ ବିଷୟରେ ସେ କିଛି ଜାଣିନଥିଲେ।
ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପୂର୍ବତନ ରାନବ୍ୟାକ୍ସି ପ୍ରମୋଟରଙ୍କ ପରିବାରଠାରୁ ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି।



