
ଉପରାଷ୍ଟ୍ରପତି ନିର୍ବାଚନରେ ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜଗଦୀପ ଧନଖଡ଼। ଏନ୍ଡିଏର ପ୍ରାର୍ଥୀ ଧନଖଡ଼ ବିରୋଧୀଙ୍କ ସଂଯୁକ୍ତ ପ୍ରାର୍ଥୀ ମାର୍ଗରେଟ ଆଲ୍ଭାଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି। ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଆଲ୍ଭାଙ୍କୁ ମିଳିଛି ମାତ୍ର ୧୮୨ ଖଣ୍ଡ ଭୋଟ୍। ଏଣୁ ଏବେ ବଡ଼ ବିଜୟର ମୁକୁଟ ପିନ୍ଧିଛନ୍ତି ଧନଖଡ଼। ସେହିପରି ୧୫ ଖଣ୍ଡ ଭୋଟ୍ ନାକଚ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗର ପୂର୍ବ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ବିପକ୍ଷ ଦଳ ତୁଳନାରେ ତାଙ୍କ ସ୍ଥିତି ମଜଭୁତ ଥିଲା। ଏଣୁ ସେ ଜିତିବା ଏକ ପ୍ରକାରର ସ୍ପଷ୍ଟ ଥିଲା। ଆଜି ନିର୍ବାଚନର ଫଳାଫଳ ମଧ୍ୟ ଏହି କଥାକୁ ସତ ପ୍ରମାଣିତ କରିଛି। ପ୍ରକାଶ ଯେ ଓଡ଼ିଶାର ନବୀନ ସରକାର ମଧ୍ୟ ଧନଖଡ଼ଙ୍କୁ ସମର୍ଥନ ଜଣାଇଥିଲେ।