
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ବନ୍ଧୁ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍ ଏହାର ତଦନ୍ତ କରିବାକୁ କମିଟି ପକ୍ଷରୁ ସୁପାରିସ କରାଯାଇଛି। ଜଷ୍ଟିସ ଏ ଅରୁମୁଗାସ୍ୱାମୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି, ଯାଞ୍ଚରୁ ସଙ୍କେତ ମିଳିଛି ଯେ ଯେଉଁ କାରଣ ପାଇଁ ଜୟଲଳିତାଙ୍କ ମୃତ୍ୟୁ ହୋଇଛି, ତା’ ପଛରେ ଶଶିକଳାଙ୍କ ହାତ ରହିଛି । ତେଣୁ କମିଟି ଘଟଣାର ତଦନ୍ତ ପାଇଁ ସୁପାରିସ କରୁଛି। ମଙ୍ଗଳବାର ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର, ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନନ ଓ ମେଡିକାଲ ଡାକ୍ତର କେଏସ ଶିବକୁମାରଙ୍କ ଭୂମିକରେ ତ୍ରୁଟି ଥିବା ସୂଚନାମିଳିଛି। ଏହାର ତଦନ୍ତ ଜରୁରୀ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓ ଓ ଜୟଲଳିତାଙ୍କ ଚିକିତ୍ସା ଦ୍ୱାୟିତ୍ୱରେ ଥିବା ଡାକ୍ତରମାନଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ବିଜୟ ଭାସ୍କର ହେଉଛନ୍ତି ଏଆଇଏଡିଏମକେର ଜଣେ ବରିଷ୍ଠ ନେତା ଓ ବର୍ତ୍ତମାନ ସେ ବିଧାୟକ ଅଛନ୍ତି। ଅରୁମୁଗାସ୍ୱାମୀ କମିଶନ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ରିପୋର୍ଟ ହସ୍ତାନ୍ତର କରିଥିଲେ। ଡାକ୍ତର ରିଚାର୍ଡ ବେଲା ଗୁରୁତର ଅସୁସ୍ଥ ଜୟଲଳିତାଙ୍କୁ ବିଦେଶ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ କାହିଁକି ତାଙ୍କୁ ଚିକିତ୍ସା ପାଇଁ ବିଦେଶକୁ ନିଆଗଲା ନାହିଁ ବୋଲି ରିପୋର୍ଟରେ ପ୍ରଶ୍ନ କରାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ନିମନ୍ତ୍ରଣକ୍ରମେ ଆମେରିକା ଓ ବ୍ରିଟେନରୁ ଅଭିଜ୍ଞ ଡାକ୍ତରମାନେ ଆପୋଲୋ ହସ୍ପିଟାଲକୁ ଆସିଥିଲେ। ସେମାନେ ଜୟଲଳିତାଙ୍କ ଆଞ୍ଜିଓପ୍ଲାଷ୍ଟୀ କରିବାକୁ କହିଥିଲେ। କିନ୍ତୁ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟୀ କରାଯାଇ ନଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶକ୍ରମକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟକାରୀ କରି ନାହାନ୍ତି। ଆପୋଲୋ ଅଧ୍ୟକ୍ଷ ଡାକ୍ତର ପ୍ରତାପ ରେଡ୍ଡୀ ୨୦୧୬ରେ ଜୟଲଳିତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅଦୃଶ୍ୟ ଶକ୍ତିର ଚାପରେ ମିଥ୍ୟା ବିବୃତି ଜାରି କରିଥିଲେ। ତେଣୁ ଏହାର ତଦନ୍ତ ନିହାତି ଆବଶ୍ୟକ ବୋଲି କମିଶନ ସୁପାରିସ କରିଛନ୍ତି। ଗତବର୍ଷ ଆପୋଲୋ ପକ୍ଷରୁ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ କରାଯାଇଥିଲା। ତଦନ୍ତ ପରିସରରୁ ହସ୍ପିଟାଲକୁ ବାଦ ଦେବାକୁ ଏଥିରେ କୁହାଯାଇଥିଲା। ଆପୋଲୋ କହିଥିଲା ଯେ ଘଟଣାର ଯାଞ୍ଚ କରୁଥିବା ପୂର୍ବତନ ବିଚାରପତି ମେଡିକାଲ ପ୍ରସଙ୍ଗର ଛାନଭିନ କରିବାକୁ ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ଏଥିସହ ପୂର୍ବତନ ବିଚାରପତି ଅନ୍ୟମାନଙ୍କ କଥାରେ ପରିଚାଳିତ ହେଉଥିବା ମଧ୍ୟ ଆପୋଲୋ ଆବେଦନରେ କହିଥିଲା। ସୁପ୍ରିମକୋର୍ଟ ଏହି ଆବେଦନ ଆଧାରରେ ଯାଞ୍ଚକୁ ମେଡିକାଲ ବୋର୍ଡ ଗଠନ ହେବା ଯାଏ ଅଟକାଇଥିଲେ। ଏହାପରେ ପୁଣି ତଦନ୍ତ ଆରମ୍ଭ ହୋଇଥିଲା। ଜୟଲଳିତା ହେଉଛନ୍ତି ତାମିଲନାଡରୁ ସବୁଠାରୁ କ୍ଷମତାଶାଳୀ ମହିଳା ଥିଲେ। ସେ ୪ ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ତାମିଲନାଡୁରେ ସମସ୍ତେ ଆମ୍ମା ନାଁରେ ସମ୍ବୋଧନ କରୁଥିଲେ। ୨୦୧୬ରେ ଜୟଲଳିତ ଅସୁସ୍ଥ ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୟଲଳିତଙ୍କର ମୃତ୍ୟୁ ଘଟିଥିଲା।