
ରାଞ୍ଚି: ଲାଭ ଜନକ ପଦବୀ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିର୍ବାଚନ କମିଶନ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଥିବା ବେଳେ ଏନେଇ ରାଜ୍ୟପାଳ ରମେଶ ବୈସଙ୍କୁ ସୁପାରିସ କରାଯାଇଛି। ରାଜ୍ୟପାଳ ଖୁବଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି। ଯଦି ସଦସ୍ୟତା ପଦ ରଦ୍ଦ ହୁଏ, ତା’ହେଲେ ବି ହେମନ୍ତ ସୋରେନ ୬ ମାସ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ୬ ମାସ ଭିତରେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏହାକୁ ନେଇ ହଟଚମଟ ଲାଗି ରହିଥିବା ବେଳେ ହେମନ୍ତ ସୋରେନଙ୍କୁ ଘାରିଛି ଘୋଡ଼ା ବେପାର ଭୟ। ଝାଡଖଣ୍ଡରେ ସରକାର ଗଠନ କରିଥିବା ଜେଏମମ ଓ କଂଗ୍ରେସର ବିଧାୟକଙ୍କୁ କିଣିବାକୁ ଉଦ୍ୟମ ହେଉଛି। ଏହାକୁ ଦୃଷ୍ଟିରେ ରଖି ହେମନ୍ତ ସୋରେନ ସମସ୍ତ ବିଧାୟକଙ୍କୁ ଘୋଡ଼ା ବେପାର ପୂର୍ବରୁ ଛତିଶଗଡ଼ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି। ଛତିଶଗଡ଼ରେ କଂଗ୍ରେସ ସରକାର ଥିବାରୁ ସେଠାରେ ଘୋଡ଼ା ବେପାର ଆଶଙ୍କା କମ ଥିବା ସେ ଆଶା କରିଛନ୍ତି। ଏଥିପାଇଁ ସବୁ ବିଧାୟକଙ୍କୁ ନିଜର ଜିନିଷପତ୍ର ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏପରି କି କିଛି ବିଧାୟକ ନିଜ ବ୍ୟାଗପତ୍ର ଧରି ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି। ଆଜି କ୍ରମାଗତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ବିଧାୟକ ଦଳ ବୈଠକ ଡାକିଥିଲେ। ଏହି ବୈଠକରେ ସରକାରେ ଥିବା ପ୍ରାୟ ସବୁ ବିଧାୟକ ଯୋଗ ଦେଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ ଲଗେଜ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ମିଳିଛି। ସେମାନଙ୍କୁ ଏଠାରୁ ସିଧା ଛତିଶଗଡ଼ ପଠାଯିବ ବୋଲି କୁହାଯାଉଛି। ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ସମ୍ପର୍କରେ ଯକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ। ତାଙ୍କର ଏକାଧିକ ସହଯୋଗୀ ୧୦୦ କୋଟି ବେଆଇନ ଖଣି ଖନନ ମାମଲାରେ ଗିରଫ ହୋଇ ସାରିଲେଣି। ସେହିପରି ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ନିଜ ନାଁରେ ଗୋଟିଏ ଖଣି ଖାଦାନର ନିଲାମ ନେଇଛନ୍ତି। ଏହା ଅଫିସ ଅଫ ପ୍ରଫିଟ ମାମଲାରେ ଆସୁଥିବାରୁ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ନିର୍ବାଚନ କମିଶନ ସୁପାରିସ କରିଛନ୍ତି। ଏପରି ସ୍ଥିତିରେ ବିଧାୟକମାନେ ମଧ୍ୟ ପ୍ରଲୋଭିତ ହୋଇ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରି ପାରନ୍ତି। ତେଣୁ ମେଣ୍ଟ ସରକାରରେ ଥିବା ଦଳଗୁଡ଼ିକ ସେମାନଙ୍କ ବିଧାୟକମାନଙ୍କୁ ଛତିଶଗଡ଼ ପଠାଇବାକୁ ଚାହୁଁଛନ୍ତି।