ଓଡ଼ିଶାସ୍ୱତନ୍ତ୍ର

ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ ‘କାଳିଆ’ ସହାୟତା ରାଶି

‘କାଳିଆ’ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିଖବର । ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ ‘କାଳିଆ’ ସହାୟତା ରାଶି । ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ। ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି।

ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’ ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବଣ୍ଟା ହେବାକୁ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା। ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇଛି। ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟାଯିବାକୁ ପ୍ରକ୍ରିୟା ଚାଲିଛି।

‘କାଳିଆ’ ଯୋଜନା ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି ପାଇଁ ବେଶ୍ ସହାୟକ ହେଉଛି । ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ବର୍ଷକୁ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ୟରୁ ମୁକ୍ତ କରିବା ଏହାର ଲକ୍ଷ୍ୟ। ‘କାଳିଆ ଯୋଜନାରେ ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କା ଅନୁମୋଦନ କରିଛି କ୍ୟାବିନେଟ।

 

Show More

Related Articles

Back to top button