ହୃଦଘାତରେ ଚାଲିଗଲେ କର୍ଣାଟକ ମନ୍ତ୍ରୀ ଉମେଶ ବିଶ୍ୱନାଥ କଟ୍ଟି

ବେଙ୍ଗାଲୁରୁ: ହୃଦଘାତରେ ଚାଲିଗଲେ କର୍ଣ୍ଣାଟକର ଖାଦ୍ୟ ଯୋଗାଣ ମନ୍ତ୍ରୀ ଉମେଶ ବିଶ୍ୱନାଥ କଟ୍ଟି । ମଙ୍ଗଳବାର ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ କଟ୍ଟି ଡଲାର୍ କଲୋନିସ୍ଥିତ ବାସଭବନର ବାଥରୁମରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ୱନାଥଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ନିଧନ ବଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ୍ କରି ବୋମାଇ ଜଣାଇଛନ୍ତି। ରାଜ୍ୟ ଜଣେ ଦକ୍ଷ କୂଟନୀତିଜ୍ଞ, ସକ୍ରିୟ ନେତା ଏବଂ ବିଶ୍ୱସ୍ତ ସରକାରୀ କର୍ମଚାରୀଙ୍କୁ ହରାଇଲା ବୋଲି ସେ କହିଛନ୍ତି। ୨୦୦୮ରେ ବିଜେପିରେ ଯୋଗ ଦେବା ପୂର୍ବରୁ କଟ୍ଟି ଜନତା ପାର୍ଟି, ଜନତା ଦଳ, ଜେ.ଡୁ. ୟୁ ଏବଂ ଜେ.ଡି. ଏସ୍ ର ସଦସ୍ୟ ଥିଲେ। ପୂର୍ବରୁ ସେ ଜେ. ଏଚ୍. ପଟେଲ୍, ବି. ଏସ୍. ୟେଦିୟୁରପ୍ପା, ଡିଭି ସଦାନନ୍ଦ ଗୌଡ଼ା ଏବଂ ଜଗଦୀଶ ଶେଟ୍ଟାରଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
ବୋମାଇଙ୍କ ସରକାରରେ ୨ଟି ପୋର୍ଟଫୋଲିଓ ସମ୍ଭାଳୁଥିଲେ ବିଶ୍ୱନାଥ। ବନ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ଦାୟିତ୍ୱ ତୁଲାଉଥିଲେ ଉମେଶ ବିଶ୍ୱନାଥ। ଘରେ ତାଙ୍କର ପତ୍ନୀ, ପୁଅ ଓ ଝିଅ ଅଛନ୍ତି। ବେଳଗାବୀ ଜିଲ୍ଲାର ବରିଷ୍ଠ ନେତା ଉମେଶ କଟ୍ଟୀ ହୁକ୍କେରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୮ ଥର ବିଜୟୀ ହୋଇଥିଲେ। ପୃଥକ୍ ଉତ୍ତର କର୍ଣ୍ଣାଟକ ରାଜ୍ୟ ଦାବି କରି ସେ ସବୁବେଳେ ଚର୍ଚ୍ଚାରେ ଥିଲେ। ୧୯୮୫ରେ ପିତା ବିଶ୍ୱନାଥ କଟ୍ଟୀଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।