
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପାରୁଆ ପଞ୍ଚାୟତ ଛତାବେଡା ଆଦିବାସୀ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ମୋବାଇଲ୍ ପାଇଁ ବନ୍ଧୁର ମୁଣ୍ଡକୁ ଇଟାରେ ଛେଚି ହତ୍ୟା । ମୃତକ ହେଲେ ଗାଁର ଶୁକଲାଲ୍ ରାଉତ ।
ସୂଚନା ଅନୁସାରେ, ଗତ ଗୁରୁବାର ଦିନ ଏକ ମୋବାଇଲ୍ ହଜିବା ଘଟଣାକୁ ନେଇ ସନ୍ଧ୍ୟାରେ ଦୁଇ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହେଇ ସେହି ଗାଁର ଘନଶ୍ୟାମ ଏକ ଇଟାରେ ଶୁକଲାଲ୍ଙ୍କ ମୁଣ୍ଡକୁ ଛେଚି ଦେଇଥିଲା । ଶୁକଲାଲ୍ ଗୁରୁତର ହୋଇଥିଲେ ମଧ୍ୟ ତୁରନ୍ତ ଚିକିତ୍ସା ନକରି ଗାଁ ପାଖ ନିଜ ଝିଅ ଘରେ ରହି ଯାଇଥିଲେ । ଗତ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରାତିରେ ତାଙ୍କ ପରିବାର ଲୋକେ ରାଇଘର ଥାନାରେ ଏତଲା ଦେଇଥିଲେ । ରବିବାର ସକାଳେ ଥାନା ଅଧିକାରୀ ଟଙ୍କଧର ଭୋଇ ପୁଲିସ ଟିମ୍ ସହ ପହଞ୍ଚି ଶୁକଲାଲ୍ଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ଘନଶ୍ୟାମକୁ ଗିରଫ କରିଛି । ପ୍ରକୃତ କାରଣ କଣ ଜାଣିବା ପାଇଁ ନବରଙ୍ଗପୁରରୁ ସାଇଣ୍ଟିଫିକ୍ ଦଳ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।