୩୧ ଲକ୍ଷ ଟଙ୍କା ଦେଇ ୧୧ ବର୍ଷ ବାଳକର ଜୀବନ ବଞ୍ଚାଇଛନ୍ତି କେଏଲ୍ ରାହୁଲ
ଟିମ୍ ଇଣ୍ଡିଆର ଜଣାଶୁଣା ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଦେବଦୂତ ସାଜି ୧୧ ବର୍ଷ ବାଳକର ଜୀବନ ବଞ୍ଚାଇଛନ୍ତି ।

ଟିମ୍ ଇଣ୍ଡିଆର ଜଣାଶୁଣା ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଦେବଦୂତ ସାଜି ୧୧ ବର୍ଷ ବାଳକର ଜୀବନ ବଞ୍ଚାଇଛନ୍ତି । ସେ ଏକ ହୃଦୟ ଜିତିବା ଭଳି କାମ କରିଛନ୍ତି। ଏକ ଦୁରାରୋଗ୍ୟରେ ପୀଡ଼ିତ ଥିବା ୧୧ ବର୍ଷର ବାଳକକୁ ରାହୁଲ ସାହାଯ୍ୟର ହାତ ବଢ଼ାଇଛନ୍ତି। ରାହୁଲଙ୍କ ସାହାଯ୍ୟ ପରେ ତୁରନ୍ତ ଉକ୍ତ ବାଳକର ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ କରାଯାଇଛି। ଫଳରେ ତା’ ଜୀବନ ବଞ୍ଚିଯାଇଛି। ଏହି ବାଳକର ନାଁ ହେଉଛି ବରଦ ନଲବାଡ଼େ। ବରଦର ସର୍ଜରୀ ପାଇଁ ୩୫ ଲକ୍ଷ ଟଙ୍କା ଦରକାର ଥିଲା। ସେଥିରୁ ୩୧ ଲକ୍ଷ ଟଙ୍କା ରାହୁଲ ସାହାଯ୍ୟ କରିଛନ୍ତି । ସୂଚନା ଅନୁସାରେ, ମୁମ୍ବାଇର ବରଦ ଏକ ରକ୍ତ ଜନିତ ଦୂରାରୋଗ୍ୟରେ ପୀଡ଼ିତ ଥିଲା। ଯେହେତୁ ତା’ର ଚିକିତ୍ସା ପାଇଁ ୩୫ ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହିଥିଲେ। କିନ୍ତୁ ବରଦର ବାପା ଜଣେ ଇନ୍ସ୍ୟୁରାନ୍ସ ଏଜେଣ୍ଟ ଓ ମା’ ହାଉସ୍ ଓ୍ଵାଇଫ୍ ହୋଇଥିବାରୁ ସେ ଏତେ ଟଙ୍କା ଯୋଗାଡ଼ କରିପାରିନଥିଲେ। ଏଣୁ ସେ ଓ ତାଙ୍କ ପତ୍ନୀ ମିଶି ପୁଅର ଚିକିତ୍ସା ଲାଗି ଫଣ୍ଡ ସଂଗ୍ରହ ପାଇଁ କ୍ୟାମ୍ପେନିଂ କରିଥିଲେ। ଏହି କ୍ୟାମ୍ପେନିଂ ଜରିଆରେ ତାଙ୍କୁ ୪ ଲକ୍ଷ ଟଙ୍କା ମିଳିଥିଲା। ଏ କଥା ଜାଣିବା ପରେ ରାହୁଲ ବାକି ୩୧ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ। ଫଳରେ ବରଦର ଅପରେସନ୍ ହୋଇପାରିଛି । ଡାକ୍ତରଙ୍କ କହିବା ଅନୁସାରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲଙ୍କ ପାଇଁ ୧୧ ବର୍ଷର ବାଳକ ନୂଆ ଜୀବନ ପାଇଛି ।