ଏସ୍ଆଇଟିର ବଡ଼ ଖୁଲାସା; ‘ଖେରି’ ଦୁର୍ଘଟଣା ନୁହେଁ, ସୁଚିନ୍ତିତ ଷଡଯନ୍ତ୍ର
ଏସ୍ଆଇଟିର ବଡ଼ ଖୁଲାସା । ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ି ଚାଷୀଙ୍କ ମୃତ୍ୟୁ ହେବା ଦୁର୍ଘଟଣା ନଥିଲା, ଏହା ଥିଲା ସୁଚିନ୍ତିତ ଷଡଯନ୍ତ୍ର । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁତ୍ର ଆଶୀଷ ମିଶ୍ରାଙ୍କ ସମେତ ୧୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି ।
ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡି ଚାଳନା ନୁହେଁ ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଦଫାକୁ ବଦଳାଇବା ପାଇଁ ଏସଆଇଟି ପକ୍ଷରୁ ଅନୁରୋଧ କରାଯାଇଛି ।
ଏସଆଇଟି ପକ୍ଷରୁ ରିପୋର୍ଟରେ ଅଭିଯୁକ୍ତ ୧୩ ଜଣଙ୍କ ବିରୋଧରେ ଦଣ୍ଡଯୁକ୍ତ ମାମଲା ଲଗାଇବା ଲାଗି ସୁପାରିସ କରାଯାଇଛି । ଏହି ଘଟଣା ସୁଚିନ୍ତିତ ଥିଲା ଏବଂ ମନମାନିର ଏକ ନିଦର୍ଶନ ଥିଲା ବୋଲି କୁହାଯାଇଛି । ଆଇପିସିର ୩୦୭, ୩୨୬, ୩୪ ଧାରା ଅନୁସାରେ ମାମଲା ରୁଜୁ କରିବା ଲାଗି ଏଥିରେ ସୁପାରିସ କରାଯାଇଛି । ଏହା ସହ ଧାରା ୨୭୯, ୩୩୮, ୩୦୪(କ)କୁ ହଟାଇ ନୂଆ ଧାରା ଅନୁସାରେ ମାମଲା ରୁଜୁ ଲାଗି ସୁପାରିସ କରାଯାଇଛି ।
ସୂଚନାଯୋଗ୍ୟ, ୨୦୧୧ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଦ୍ରୁତଗତିରେ ଏକ ଏସୟୁବି ଆଣି ଆନ୍ଦୋଳନରତ ଚାଷୀଙ୍କୁ ଉପରେ ଚଢାଇ ଦେଇଥିଲେ । ଫଳରେ ୮ ଜଣ ଚାଷୀଙ୍କ ମୃତ୍ୟୁ ଘଟଇଥିଲା । ଏହାକୁ ନେଇ ହିଂସାତ୍ମକ ସ୍ଥିତି ସୃଷ୍ଟି ହେବା ସହ ଜଣେ ସାମ୍ବାଦିକ ଏବଂ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।