କାହାର ଏ ଚିଠି ? କିଏ ଲେଖିଛି ମୋ ବାପାଙ୍କୁ ?
ପରିତ୍ୟକ୍ତ ଅବସ୍ଥାରେ ପଡିଥିଲା ଚିଠି ଟି, ବାପାଙ୍କ ଆଲମିରା ଭିତରେ !
ମୁଁ ତ ଲେଖିନି ! ବାପାଙ୍କ ଦେହାନ୍ତ ପରେ ଚିଠିଟା ଆସିଛି ଆମ ଘରକୁ, ସେଇଥି ପାଇଁ ବୋଧେ ଖୋଲା ହେଇନି । ଆଗ୍ରହର ସୀମା ଅତିକ୍ରମ କରିଗଲା ମୋ ମନ ଭିତରେ। ପଢିଲି ବସି ଚିଠି’କୁ।
*******
ବାପା !
“ବୁଝିବାର ବୟସ ହେଇଥିଲେ ସେଦିନ ତୁମକୁ ଛାଡି ନ ଥା’ନ୍ତି। ତୁମ ହାତକୁ ଜାବୁଡି ଧରି କହି ଥାଆନ୍ତି ବାପା ! ମୁଁ ଆଉ ଏଇଠି ଏଇ ଅନାଥଶ୍ରମ ରେ ରହିବାକୁ ଚାହୁଁନି, ମୋତେ ଘରକୁ ନେଇ ଚାଲ। ଯଦି ମୋତେ ଫେରେଇ ଦେବାର ଥିଲା ନେଉଥିଲ କାହିଁକି ? ଗୋଡ କଚାଡି ଏତେ କାନ୍ଦି ଥାଆନ୍ତି ଯେ ବାଧ୍ୟ ହୋଇ ତୁମେ ମୋତେ ଘରକୁ ନେଇ ଯାଇ ଥାଆନ୍ତ ଆଉ ଥରେ।
ଦଶ ବର୍ଷ ବିତି ଗଲାଣି ଏହା ଭିତରେ। ମୋତେ ସତର ହେଲା ବୋଲି ସୁପରଭାଇଜର କହୁଥିଲେ। ଅନେକ ଝିଅ ଭିତରୁ ତମେ ମୋତେ ବାଛିଥିଲ ସେଦିନ, ମୁଁ ଗର୍ବରେ ଫାଟି ପଡିଲି। ମୋ ଆଗରୁ ବି କେତେ ପୁଅ ଝିଅଙ୍କୁ ଅଜଣା ଲୋକ ସବୁ ଆସି ନେଇ ଯାଇଥିଲେ ଏଇ ଆଶ୍ରମରୁ। କେହି ହେଲେ ଫେରି ନାହାନ୍ତି, ମୁଁ ଯେମିତି ଫେରି ଆସିଲି। କେତେ ଭାଗ୍ୟବାନ ସେମାନେ !
ବାପା କାହାକୁ କହନ୍ତି, ବୋଉ କିଏ, ଏଇ ସଂଘର୍ଷମୟ ଜୀବନରୁ ଉଦ୍ଧାର ପାଇ ତୁମ ଘରକୁ ଯିବା ପରେ ହିଁ ଜାଣିଲି। ଆମକୁ ସୁପରଭାଇଜର କହନ୍ତି, ତମେ ସବୁ ଭଗବାନ ଙ୍କ ସନ୍ତାନ। ଭଗବାନ ହିଁ ତମ ମାନଙ୍କ ବାପା, ମା..।
ପ୍ରଥମେ ପ୍ରଥମେ ଏଇ ସବୁ କଥା ଶୁଣିବାକୁ ଭଲ ଲାଗୁଥିଲା। ଧୀରେ ଧୀରେ ଆମେ ବୁଝିଲୁ ମନକୁ ବହଲେଇବା ପାଇଁ ଏମାନେ ସବୁ ଏମିତି ମିଛ କହନ୍ତି। ତୁମ ଘରେ ଛ ମାସ ରହଣି ଭିତରେ ବାପା, ଓ ବୋଉଙ୍କ ବାବଦରେ ଅନେକ କଥା ଜାଣିଲି। ଧୀରେ ଧୀରେ ତୁମ ଦୁହିଁ ଙ୍କ ମାୟା ମମତାରେ ଏମିତି ଛନ୍ଦି ଗଲି ଯେ ମୁଁ ଭଲ ପାଇ ବସିଲି ମୋ ବାପା ବୋଉ ଙ୍କୁ।
ମନେ ଅଛି ନା ବାପା ! ଗାଆଁ ଦାଣ୍ଡରେ ଖେଳୁ ଖେଳୁ ଘରକୁ ଫେରିବା ପାଇଁ ମୁଁ ରାସ୍ତା ଭୁଲିଗଲି। ଅନ୍ୟ ଗୋଟାଏ ଗଳି ଭିତରେ ମୁଁ ନିଜକୁ ଅସହଜ ମନେ କରୁ କରୁ କାନ୍ଦି ପକେଇଲି। ନୂଆ ନୂଆ ଆସିଥାଏ ମୁଁ ତୁମ ଗାଁ କୁ। କେହି ଚିହ୍ନି ପାରୁ ନ ଥିଲେ କିମ୍ବା ମୁଁ ତୁମ ନାଆଁ କହି ପାରିଲି ନାହିଁ। ମୋ କାନ୍ଦିବା ଦେଖି ବହୁତ ଲୋକ ଆସି ମୋ ପାଖରେ ରୁଣ୍ଡ ହେଇଗଲେ। ମୁଁ ଭୟରେ ଥରିଲି। ତୁମେ ବିଜୁଳୀ ବେଗରେ ଦଉଡି ଦଉଡି ଆସି ମୋ ପାଖରେ ପହଞ୍ଚି ମୋତେ ଉଦ୍ଧାର କଲ। ମୋ ଉପରେ ରାଗିଲ । ପ୍ରଥମ ଥର ପାଇଁ ତୁମ କ୍ରୋଧ ଦେଖିଲି ଓ ତୁମ ଆଖିରେ ଲୁହ ଦେଖି ମୁଁ ମନେ ମନେ ନିଜକୁ ଗର୍ବିତ ମନେ କଲି। ମୁହାଣ ପାଖ ଭୟଙ୍କର ସମୁଦ୍ରର ବିଶାଳ ଢେଉ ଭିତରେ ନିଜକୁ ସମର୍ପଣର ମଜା କେବଳ ନଦୀ ଜାଣି ଥାଏ ବାପା। ମୋ ପରି ଛୋଟ ଝରଣାକୁ ଭାରି ଖୁସି ଲାଗିଲା ତୁମ ରାଗ ରୋଷ ପାଖରେ। ତୁମ ପାଖରେ ଆହୁରି ନିକଟତର ହେଇ ଉଠିଲି ମୁଁ ।
ଅନାଥ ଶ୍ରମରେ ମୋତେ ଗୋରୀ ବୋଲି ସମସ୍ତେ ଡାକନ୍ତି। ତମେ ନୂଆ ନାମଟିଏ ରଖିଲ , ଝରଣା। ଭାରି ଭଲ ଲାଗୁଥିଲା ତୁମେ କିମ୍ବା ବୋଉ ଯେତେବେଳେ ମୋତେ ଝରଣା ବୋଲି ଡାକୁଥିଲ। ସ୍ନେହ ବୋଳା ନାଁ ଟା। ଆଜି ତୁମର ସେଇ ଝରଣା ଧୀରେ ଧୀରେ ବହୁତ ଆଗକୁ ଚାଲି ଆସିଛି। ଆଜି ମୁଁ ଗାଆଁ ଗଳି ଭିତରେ ରାସ୍ତା ଭୁଲି ଯାଇଥିବା ସେଇ ଝରଣା ନୁହେଁ, ସତର ବର୍ଷର ଝରଣା। ଆଜି ମୁଁ ଏତେ ଲମ୍ବା ରାସ୍ତା ଚାଲି ଆସିଛି ଯେ ଇଚ୍ଛା କଲେ ବି ତୁମ ପାଖକୁ ଆଉ ଫେରି ପାରିବି ନାହିଁ ବାପା।
ଗାଆଁ ସ୍କୁଲରେ ନାଆଁ ଲେଖିବା ପାଇଁ ମୋତେ ନେଇ ଯାଇଥିଲ। ମନେ ଅଛି ନା.. । ପ୍ରଧାନ ଶିକ୍ଷକ କହିଲେ ଛ ମାସ ପରେ ଆସ, ସିଧା ପ୍ରଥମ ଶ୍ରେଣୀରେ ନାଆଁ ଲେଖିଦେବୁ। ଛ ମାସ ପୂର୍ବରୁ ତୁମେ ମୋତେ ପୁଣି ଥରେ ଅନାଥଶ୍ରମ ରେ ଛାଡି ଦେଇଗଲ ବାପା। ସ୍କୁଲ ଯିବା ସ୍ୱପ୍ନରେ ରହିଗଲା। ଭାରି ଇଚ୍ଛା ଥିଲା ସ୍କୁଲରେ ପଢିବାକୁ। ଇଚ୍ଛାର ସେମିତି କିଛି ଅସ୍ତିତ୍ବ ନ ଥାଏ । ଭାରି ଅନିଶ୍ଚିତ, ମାୟା ମୃଗ ପରି ଖାଲି ମୁହଁ ଦେଖେଇ ପୁଣି ଲୁଚିଯାଏ, କୋଉଠି କେଜାଣି।
ବଜାରକୁ ନେଇ ନୂଆ ଫ୍ରକଟିଏ କିଣି ଦେଇ ଥିଲ ନା..
ପଚାରିଲି, କାହିଁକି ? ତୁମେ କହିଲ, “ପ୍ରଥମାଷ୍ଟମୀରେ ବଡ ଛୁଆଙ୍କ ପାଇଁ ନୂଆ ପୋଷାକ କିଣା ହୁଏ, ଓଡିଆ ସଂସ୍କୃତି। ତୁ ପରା ଆମ ବଡ ଝିଅ”।
କଥାଟି ମନେ ପଡିଲେ ଆଖିରେ ଆପେ ଆପେ ଲୁହ ଚାଲି ଆସେ। ଛୋଟ ଡ୍ରେସଟାକୁ ଏବେ ବି ମୁଁ ସାଇତି ରଖିଛି। ବେଳେ ବେଳେ ଡ୍ରେସ ଟାକୁ ଦେଖେ। ମୁଁ କେତେ ବଡ ହେଇ ଯାଇଛି ଏହା ଭିତରେ , ହୃଦୟଙ୍ଗମ କରେ। ସେ ଯା ହେଉ ନା କାହିଁକି, ଏବେ ବି ଭାବେ ମୁଁ ତୁମର ବଡ ଝିଅ। ଛ ମାସ ହେଉ ବରଂ ବାପା ମା କେମିତି ଜିନିଷ ଅନୁଭବ ତ କରି ପାରିଲି, ତୁମ ପାଖରେ !!
ତୁମେ ସେଦିନ ଆଶ୍ଚର୍ଯ୍ୟ ହେଇଥିଲ ନା.. ମୁଁ ଚୁପ୍ ଚାପ୍ ସୁନା ଝିଅ ପରି ଗେଟ ଭିତରକୁ ପଶି ଆସିଲି। କାନ୍ଦିଲି ନାହିଁ କାହିଁକି ?
ତୁମେ ବୋଧେ ନିଜକୁ ଅସହାୟ ମନେ କଲ, କାହିଁକି କେଜାଣି। ମୋ ହାତରେ ଶହେ ଟଙ୍କା ଧରେଇ ଦେଲ। ବାପା ! ଏଠି କିଛି କିଣିବାକୁ ପଡେନି ବୋଲି ଶହେ ଟଙ୍କାର ମୂଲ୍ୟ କେତେ, ମୁଁ ଜାଣିନି। ଏବେ ବି ସେଇ ଶହେ ଟଙ୍କା ମୁଁ ସାଇତି ରଖିଛି, ଖାଲି ତୁମ ସ୍ମୃତିରେ, ବାସ୍।
ଗତ କାଲି ସଂଜରେ ପଡ଼ିଆରେ ବସିଥିଲି, ନୂଆ ଜଣେ ସୁପର ଭାଇଜର ଜଏନ କରିଛି ଆମ ଅନାଥଶ୍ରମରେ। ପାଖକୁ ଆସି ମୋ ଗାଲକୁ ଟାଣି ଦେଇ ହସିଦେଲା, ଅଶ୍ଳୀଳ ଇଙ୍ଗିତ କଲା। ଡରି ଗଲି। ସେଇଥି ପାଇଁ ବୋଧେ ମୋ ଜୀବନର ଏଇ ପ୍ରଥମ ଚିଠି ତୁମକୁ ଲେଖୁଛି। ଭାବିଲି ବାପାଙ୍କୁ ଏଇ କଥାଟି କହି ଦେଲେ ମନ ଟା ହୁଏତ ହାଲୁକା ହେଇଯିବ। ବହୁ କଷ୍ଟରେ ତୁମ ଠିକଣା ପାଇଲି। ୨୩୪**, ଆମ ଅନାଥଶ୍ରମ ଅଫିସ ଫୋନ ନମ୍ବର। ଯଦି କେବେ ଫୋନ କରିବାକୁ ଇଚ୍ଛା ହୁଏ, ଝରଣା ନୁହେଁ, ଗୋରୀ ବୋଲି କହିଲେ ସୁପର ଭାଇଜର ମୋତେ ଡାକିବ। ବୋଉକୁ ନମସ୍କାର ଦେବ।
ତୁମ ଝରଣା”
*****
ଚିଠି ଟା ଆସିଥିଲା ପ୍ରାୟ ସାତ ବର୍ଷ ଆଗରୁ।
ମୁଁ ଶୁଣିଥିଲି ବାପା ବୋଉଙ୍କର ପିଲା ନ ଥିଲା। କେହି କିନ୍ତୁ ମୋତେ କେବେ କହି ନାହାନ୍ତି ମୋ ଜନ୍ମ ଆଗରୁ ବାପା ଅନାଥଶ୍ରମରୁ ଝିଅ ଟିଏ ଆଣି ଥିଲେ ଆମ ଘରକୁ। ବାପା ଏମିତି କଲେ କାହିଁକି ? ଏବେ ତାକୁ ଚବିଶ ବର୍ଷ ହେଲାଣି। ସୁପରଭାଇଜର ଖରାପ ଦୃଷ୍ଟିରେ ତାକୁ ଦେଖିଥିଲା ସେଦିନ। କିଛି ଅମଙ୍ଗଳ ଘଟିନି ତ !!!!! ମୋ ମୁଣ୍ଡଟା ଜମାରୁ କାମ କଲା ନାହିଁ। ମନ ହେଲା ସେଇ ଝିଅ ସଙ୍ଗେ କଥା ହେବାକୁ, କାହିଁକି କେଜାଣି।
ପୂର୍ଣ୍ଣିମା ଜହ୍ନ ଆକାଶରେ ଖେଳୁଥାଏ। କ୍ଳାନ୍ତ ଶ୍ରାନ୍ତ ସଂଜୁଆ ପବନ ଶୀତଳତା ଭରି ଦେଲା ଆମ ଅଗଣାରେ। ଶଙ୍ଖ ଶବ୍ଦ ସବୁ ପ୍ରତିଧ୍ଵନିତ ହେଉଥିଲା ମୋ କାନ ଭିତରେ।
ଝୁଣା, କର୍ପୂର, ଘିଅ, ଚନ୍ଦନର ମହକ ବ୍ୟାପୁଥିଲା ହାତ ପା’ନ୍ତା ଆକାଶ ଆଡକୁ।
ସେ ଦେଇଥିବା ନମ୍ବରକୁ ଫୋନ ଲଗେଇଲି। କହିଲି, ଗୋରୀ ସାଥିରେ ଟିକିଏ କଥା ହେବି। କିଛି ସମୟ ଅପେକ୍ଷା କଲି….
ଏକ ଅସହାୟ ଝିଅର କଣ୍ଠ ସ୍ୱର ଶୁଣି ସ୍ତବ୍ଧ ହେଇଗଲି ମୁଁ କିଛି କ୍ଷଣ ପାଇଁ।
ପଚାରିଲା, କିଏ ?
କଣ୍ଠ ରୁଦ୍ଧ ହେଇ ଆସିଲା। ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଛି, ମୁଁ ଜାଣି ପାରିନି। କହିଲି ଦିଦି…
ତୁମେ କିଏ ?
ଦିଦି, ମୁଁ ତୁମ ସାନ ଭଉଣି କଳ୍ପନା। ତୁମ ଚିଠି ପାଇବାର ଅନେକ ଆଗରୁ ବାପା ବୋଧେ ଦୁନିଆ ଛାଡି ଚାଲି ଯାଇଥିଲେ । ସତ କି ନା ମୁଁ ଜାଣିନି, ସନ୍ତାନହୀନ ଥିଲେ ମୋ ବାପା ମା। ଅଚାନକ ବୋଉ ମୋତେ ଗର୍ଭରେ ଧାରଣ କଲା। ବାପା ଡରିଗଲେ ବୋଧେ। ତୁମକୁ ଅନାଥଶ୍ରମରେ ଫେରେଇ ଦେଇ ଆସିଲେ। ସମୟ ପାଇଲେ ସବୁ କଥା ବୋଉକୁ ପଚାରିବି। ବାପା କିନ୍ତୁ ଠିକ୍ କରି ନାହାନ୍ତି ଯଦି କଥାଟି ସତ ହେଇଥାଏ। କ୍ଷମା କରି ଦିଅ ଦିଦି।
କାଲି ଅନାଥଶ୍ରମକୁ ଯାଇ ତୁମକୁ ନେଇ ଆସିବି। ଭୋ ଭୋ କରି କେହି ଜଣେ କାନ୍ଦିବାର ଶବ୍ଦ ଶୁଣିଲି। ଦିଦି ବୋଧ ହୁଏ କାନ୍ଦୁଥିଲା ସେ ପଟରୁ। ମନ ଜଙ୍ଗଲରେ ନିଆଁ ଲାଗି ଧ୍ବସ୍ତ ବିଧ୍ବସ୍ତ କରିପକେଇଲା ମୋ ମନର ବିସ୍ତୃତ ମାଂସ ପେଶୀ କୁ। କିଛି ସମୟ ପାଇଁ ପୃଥିବୀର ଛାଇରେ ଚନ୍ଦ୍ର ଯେମିତି ଲୁଚିଯାଏ, ମୁଁ ହଜିଗଲି ମୋ ଭିତରେ, ଫେରିବାର ରାସ୍ତା ନ ଥିଲା ସେଇ ଚକ୍ରବ୍ୟୁହ ଭିତରୁ । ମୁଁ ଫୋନ କାଟି ଦେଲି।
***
ତା ପର ଦିନ ଅନାଥଶ୍ରମକୁ ଗଲୁ। ବୋଉ ସାଥିରେ ଥିଲା। ଏଥର ବହୁତ ଔପଚାରିକତା ମାଧ୍ୟମ ଦେଇ ଝିଅଟିକୁ ମୁକୁଳେଇଲୁ ଅନାଥଶ୍ରମରୁ। ଏତେ ସହଜ ନ ଥିଲା ତାକୁ ପାଇବା ପାଇଁ ତା ଭିତରୁ। ବୋଉକୁ ଦସ୍ତଖତ କରିବା ପାଇଁ ପଡିଲା ବହୁତ ଜାଗାରେ। ଗୋଲାପ ଗଛର ଡାଳଟା କଣ୍ଟାପୂର୍ଣ୍ଣ ହେଲେ ଏତେ କଠୋର ନୁହେଁ। କଲମି ମାଧ୍ୟମରେ ଆଉ ଗୋଟାଏ ରଙ୍ଗର ଗୋଲାପକୁ ଖୋଲା ମନରେ ଜାଗା ଦିଏ । ମା ହୃଦୟଟା ଏତେ ପ୍ରଶସ୍ତ ଯେ ଅନେକଙ୍କ ପାଇଁ ଜାଗା ଥାଏ ତା ଭିତରେ।
ବୋଉ ! ଇଏ ତୋ ବଡ ଝିଅ ଝରଣା। ଦୁଇ ଟୋପା ଲୁହ ଚଟକିନା ବୋହି ଆସିଲା ବୋଉର ଗାଲ ଦେଇ।
ଆଉ ଭୁଲ ହେବନି ଝରଣା, ତୁ ହିଁ ଆମ ବଡ ଝିଅ।
ବୋଉ ମହା ଆନନ୍ଦରେ କୋଳେଇ ନେଲା ଆମ ଦୁହିଙ୍କୁ…..
ରଚନା: ନିତ୍ୟାନନ୍ଦ ନନ୍ଦି / ଦୁନ୍ଦକୋଟ/ ବାଲେଶ୍ଵର