ଓଡ଼ିଶାସ୍ୱତନ୍ତ୍ର

ଜୀବନ ଗଣିତ ସୂତ୍ର 

କବାଟ ଖୋଲି ପ୍ରଦୀପ ଦେଖିଲେ, ଡ୍ରାଇଭର ଜଗଦୀଶ ମୁଣ୍ଡ ତଳକୁ କରି ଚୁପଚାପ ଠିଆ ହୋଇଛି।ତାଙ୍କୁ ଦେଖି ଧୀର ସ୍ୱରରେ ଜଗଦୀଶ କହିଲା,

-ସାଵ, ମୋ ଜେଜେମା ଦେହ ଭାରି ସିରିଅସ। କିଛି ଆଡ଼ଭାନ୍ସ ଟଙ୍କା ଓ ଆଠ/ଦଶ ଦିନ ଛୁଟି ଦରକାର।
ଆଖି ବୁଜିବା ଆଗରୁ ପିଲାଙ୍କୁ ଟିକେ ଦେଖିବାକୁ ଚାହୁଁଛି।”

ପ୍ରଦୀପ କିଛି କହିବା ପୂର୍ବରୁ ତାଙ୍କ ଧର୍ମପତ୍ନୀ ମାଳବିକା ସାମ୍ନାକୁ ଆସି କହିଲେ,
-ତୁ ଏତେଦିନ ଗଲେ, ଏଠିକା କାମ, ବାବୁଙ୍କ କୋଚିଙ୍ଗ କ୍ଳାସ ଓ ପିଲାଙ୍କୁ ସ୍କୁଲ ନେବା ଆଣିବା କିଏ କରିବ ?
ପୁଣି ଏକାଥରେ ଦଶ ଦିନ ଛୁଟି ?”

ଗଳା ସଫା କରି ଜଗଦୀଶ କହିଲା,
-ମା, ମୋ ଘର କଣ ପାଖ ବାଟ କଣ ହୋଇଛି ? ଏଠୁ ଟ୍ରେନରେ ରାଜସ୍ଥାନ ଜୟପୁର ଓ ସେଠୁ ମୋ ଗାଁକୁ ଯିବା ଆସିବା ପାଇଁ ପାଞ୍ଚ/ଛଅ ଦିନ ଲାଗିଯାଏ। ଏତେବାଟ ଯାଇ ତିନି, ଚାରିଦିନ ତ ରହିବାକୁ ହେବ। ଯାହାହେଲେବି ନିଜ ଘର କଥା। ବୁଢ଼ୀ ମଣିଷ, ଶେଷ ଅବସ୍ଥା। ଡର ମାଡୁଛି, ଆମେ ପହଁଚିଲା ବେଳକୁ ମୋ ଜେଜେମା ବଞ୍ଚିଥିବ କି ନାହିଁ ଜେଜାଣି ?”

ମାଳବିକା ଚଟକିନା କହିଲେ,
-ତୋ ଜେଜେମା ତ ବହୁତ ବୁଢ଼ୀ ହୋଇଯାଇଥିବେ। ବୟସ ହେଲେ ଏହା ସ୍ୱାଭାବିକ। ତୋର ପରା ଆହୁରି ତିନି ଭାଇ ଅଛନ୍ତି ବୋଲି ମୋତେ କହୁଥିଲୁ। ତୁ ଯାଇଁ କଣ ଅଧିକ କରିବୁ, ଫ୍ୟାମିଲିଙ୍କ ଯିବା ଆସିବାରେ ଅଯଥାରେ ଟଙ୍କା ଖର୍ଚ୍ଚ ନକରି ସେଇ ଟଙ୍କା ବରଂ ଘରକୁ ପଠାଇଦେ, କାମରେ ଆସିବ।”

-ମୁଁ ସବା ସାନ ବୋଲି ମୋତେ ବହୁତ ଭଲ ପାଏ ଜେଜେମା।ମୋତେ ହିଁ ଦେଖିବାକୁ ଚାହୁଁଛି ବୋଲି ମୋ ମା ବି କହୁଥିଲା।ନିଜେ ନଗଲେ କଥାଟା ଖରାପ ହେବ। ଗାଁଲୋକେ ବାରକଥା କହିବେ। ସାଵ, ଆପଣ ଜାଣିଛନ୍ତି ସେମିତି ନିହାତି ଦରକାର ନହେଲେ ମୁଁ ଛୁଟି ନିଏନା।”

ମାଳବିକା ଘର ଭିତରକୁ ଯିବା ପୂର୍ବରୁ, ଫୁସଫୁସ କରି ପ୍ରଦୀପଙ୍କ କାନରେ କହିଗଲେ,
– କୁଆଡେ ବୁଲିବାକୁ କିମ୍ବା ଘରକୁ ଯିବାପାଇଁ ଇୟେ ବାହାନା କରୁଛି।ନହେଲେ ଗୋଟେ ବୁଢୀ ପାଇଁ ଏତେ ବାଟ କିଏ ଉଠାପକା ହୋଇ ହଇରାଣ ହୋଇ ଯିବ ବା ?ତମେ ଆଡ଼ଭାନ୍ସ ଦେବାକୁ ରାଜି ନହେଲେ ବଳେ ବଳେ ଏଇଠି ରହିବ।”
ମାଳବିକା ଚାଲିଗଲା ପରେ ପ୍ରଦୀପ ଅନାଉଥିଲେ ଜଗଦୀଶ କୁ। ଶାନ୍ତ, ସରଳ ଓ ବିଶ୍ବାସୀ ।ଯେଉଁ କାମ ବରାଦ କରିବ, ସବୁ କରେ। ହସଖୁସିଆ ମଣିଷ ଜଗଦୀଶ। ତାକୁ ଭାରି ଭଲ ପାଆନ୍ତି ପ୍ରଦୀପ, ଅଭାବୀ ମଣିଷ ବୋଲି ତାକୁ ମାର୍କେଟରେ ଚାଲିଥିବା ଡ୍ରାଇଭରଙ୍କ ଦରମା ଠାରୁ ଅଧିକ ଦରମା ଦିଅନ୍ତି ପ୍ରଦୀପ।
ସରକାରୀ କଲେଜର ମ୍ୟାଥମେଟିକ୍ସ ଲେକଚର ପଦ ରୁ ରିଜାଇନ କରି, ପ୍ରଦୀପ ବହୁତ ଅଧିକ ଦରମା କଣ୍ଟ୍ରାକ୍ଟ ପାଇ, ସହରରେ ଥିବା ସବୁଠୁ ବଡ଼ ଓ ନାମଜାଦା ଇଞ୍ଜିନିୟରିଂ କୋଚିଙ୍ଗ କଲେଜରେ ପ୍ରିନ୍ସିପାଲ ଭାବେ କିଛିବର୍ଷ ତଳେ ଯୋଗ ଦେଇଥିଲେ। ଗଣିତର ଯେକୌଣସି କଠିନ ସମୀକରଣ, ପ୍ରଶ୍ନ ତାଙ୍କ ପାଇଁ ବାଁ ହାତର ଖେଳ । ଖାସ ତାଙ୍କରି ପାଇଁ କଲେଜରେ ଅଧିକ ପିଲା ଆଡ଼ମିସନ ନେଉଛନ୍ତି । ତେବେ ଦାୟିତ୍ୱ ଓ କାମ ର ଚାପ ଅଧିକ। ମ୍ୟାନେଜମେଣ୍ଟ ତାଙ୍କ ଉପରେ ଅଧିକ ନିର୍ଭରଶୀଳ।ସେଥିପାଇଁ ଛୁଟି ନେବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତି ପ୍ରଦୀପ।

-ସାଵ, ମୁଁ ଘରେ କହିଲି କି ଏତେ ଦିନ ଛୁଟି ପାଇଁ ସାଵ ରାଜି ହେବେ କି ନାହିଁ। ସାଙ୍ଗେସାଙ୍ଗେ ମୋ ସ୍ତ୍ରୀ କହିଲା, ଖୁସିରେ କିଏ ଯାଉଛି ? ବାବୁଙ୍କୁ ପଚାରିବ ତାଙ୍କ ଘର ଲୋକ ଏମିତି ବେମାର ପଡିଲେ ତୋ ସାଵ ଯିବେ କି ନାହିଁ?”

ଜଗଦୀଶ କଥାରେ ଚମକିପଡି, ଭାବନାରାଜ୍ୟରୁ ଫେରିଆସିଲେ ପ୍ରଦୀପ। ତା କଥାଟା ଯେମିତି ତାଙ୍କ କାନରେ ବାରମ୍ବାର ପ୍ରତିଧ୍ବନିତ ହେଲା। ତାଙ୍କର ମନେ ପଡୁଥିଲା, ଦୁଇଦିନ ତଳେ ଗାଁରୁ ସାନଭାଇ ପତୁ ଫୋନ କରିଥିଲା।
-ଭାଇ, ହେମ ଖୁଡୀ ଭାରି ସିରିଏସ। ବାଉଳି ଚାଉଳି ହେଉଛି। ବାରମ୍ବାର ତୁମ କଥା ପଚାରୁଛି ଓ ଥରେ ତୁମକୁ ଦେଖିବାକୁ ଚାହୁଁଛି। ମୋତେ ଓ ତୁମ ଭାଇ ବୋହୁକୁ କହୁଛି ପଦୁକୁ କହ ଥରେ ଟିକେ ମୋତେ ଦେଖିବାକୁ ଆସୁ।”
ସ୍ପିକର ଅନ କରି କଥା ହେଉଥିବାରୁ ମାଳବିକାଙ୍କ କାନରେ ପଡିଥିଲା କଥା। ଚଟକିନା ଫୋନ ନେଇ ନିଜଆଡୁ କହିଥିଲେ,
-ପତୁ, ଭାଇ କେତେ ବ୍ୟସ୍ତ ମଣିଷ ତୁମେ ଜାଣିଛ। ଖୁଡୀ ଙ୍କ ପାଇଁ ତୁମ ଭାଇ କଣ ନକରିଛନ୍ତି ? ଦୁଇ ଦୁଇଥର ଦୁଇଟା ବଡ଼ ପ୍ରାଇଭେଟ ହସ୍ପିଟାଲରେ ରଖି ସବୁ ଚିକିତ୍ସା, ଚେକଅପ ତ କରିଲୁ ଆମେ। ଆଉ କିଛି କରିହେବନି ବୋଲି ଡାକ୍ତର ତ କହିଲେ। ଏଠି ନରହି ଗାଁରେ ରହିବେ ବୋଲି ଜିଦି ଲଗାଇ ସେଠିକୁ ଗଲେ। ବୟସ ହେଲା।”

ସେପଟୁ ପତୁ କହୁଥିଲା,
-ଆମେ ସବୁ ବୁଝୁଛୁ ,ଭାଇ ସବୁ କରିଛନ୍ତି। ଖୁଡୀ ବହୁତ ଭଲ ପାଏ ବଡ଼ ଭାଇଙ୍କୁ। ସେ ହିଁ ତା’ର ଜୀବନ। ଶେଷଥର ଦେଖିବାକୁ ବିଚାରୀ….

ଦୀର୍ଘନିଶ୍ବାସ ଛାଡି ମାଳବିକା କହିଥିଲେ,
-ଆଛା ଏ କଲେଜରେ ପ୍ରିନ୍ସିପାଲ ହେଲେ ଯେ ସକାଳୁ ଯାଇ ଘରକୁ ଡେରିରେ ଫେରୁଛନ୍ତି, ସେଥିରେ ତାଙ୍କର ବ୍ଲଡ଼ ପ୍ରେସର, ବିପି। ମୋ ଦେହ ବି ଭଲ ରହୁନି। ଛୁଟି ମିଳିବା ବହୁତ କଷ୍ଟ। ପ୍ରାଇଭେଟ ଚାକିରୀ କଥା ତମେ ଜାଣିଛ। ତା ଉପରେ ଛୁଆଙ୍କର ସ୍କୁଲ ପରୀକ୍ଷା।ତମେ ଟିକେ ଖୁଡୀ ଙ୍କୁ ବୁଝାଇଦିଅ ଓ ମୁଁ ଏଇଠୁ ଦଣ୍ଡବତ କରୁଛି ବୋଲି ତାଙ୍କୁ କହିଦିଅ। ଟଙ୍କା କିଛି ଦରକାର ହେଲେ କହିବ।”
ପତୁ ଫୋନ ରଖି ଦେଇଥିଲା।

ପ୍ରଦୀପ କହିଥିଲେ,
-ପିଲାଦୁହେଁ ତ ଷ୍ଟାଣ୍ଡାର୍ଡ଼ ଫୋର ଓ ୱାନରେ ପଢୁଛନ୍ତି, ସେମାନଙ୍କର କି ପରୀକ୍ଷା ? ଆମେ ଦୁଇ ତିନିଦିନ ପାଇଁ ଗାଁକୁ ଯାଇ ବୁଲି ଆସିଲେ ଭଲ ହୁଅନ୍ତା। ଖୁଡୀ….

-ଓହୋ, ସିଏ କେଉଁ ତୁମ ନିଜ ମା ? ତାଛଡା ଆଉ ତିନିଦିନ ପରେ ଆମର ବାହାରକୁ ବୁଲିଯିବା ପ୍ଲାନ ଅଛି। ଏଇନା ତୁମେ ତିନି ଦିନ ଛୁଟି ନେଲେ ମ୍ୟାନେଜମେଣ୍ଟ ତୁମକୁ ଆଉ ଛୁଟି ଦେବନି। ତମର କଣ ଆମପାଇଁ କିଛି ଦାୟିତ୍ୱ ନାହିଁ ? ଗାଁକୁ ଗଲେ ଫାଲତୁରେ କେତେ ଖର୍ଚ୍ଚ ହେବ ଜାଣିଛ ? କି ଗଣିତ ପ୍ରଫେସର ହୋଇଛ ତମେ ? ସବୁବେଳେ ଖାଲି ଗାଁ, ଭାଇ, ଭଉଣୀ, ଦାଦା ଖୁଡୀ….”
ପ୍ରଦୀପ ଚୁପ ରହିଲେ। ଅଳ୍ପ ବୟସରୁ ବାପା, ମାଙ୍କୁ ହରାଇଥିବାରୁ ଦାଦା, ଖୁଡୀ ହିଁ ତାଙ୍କୁ ମଣିଷ କରିଥିଲେ। ସମ୍ପର୍କର ମୋହକୁ କଣ ସତରେ ଆଡେଇ ହୁଏ ? ତେବେ ମାଳବିକାଙ୍କ ଭଳି କିଛି ମଣିଷଙ୍କୁ ସମ୍ପର୍କର ମହତ୍ୱ ବୁଝାଇବା କଷ୍ଟ।
-ସାଵ, ଟଙ୍କା କିଛି ବହୁତ ଦରକାର ଥିଲା। ଜେଜେମାଙ୍କୁ ନଦେଖି ପାରିଲେ ଜୀବନରେ ଗୋଟେ ବଡ଼ ଅବଶୋଷ ରହିଯିବ। ଅଢେ଼ଇ ବର୍ଷ ତଳେ, କରୋନା ସମୟରେ ମୁଁ ଯେତେବେଳେ କରୋନା ଯୋଗୁଁ ହସ୍ପିଟାଲରେ ଆଡ଼ମିଟ ହୋଇଥିଲି, ଏତେ ଭୟ , କଟକଣା ସତ୍ବେ ମୋ ଦୁଇ ଭାଇଙ୍କୁ ମୋ ବାପା, ମା, ଜେଜେମା ଏଠିକୁ ପଠାଇଥିଲେ ମୋ ସ୍ତ୍ରୀ, ପିଲାଙ୍କ ପାଖରେ ଭରସାର ପାଚେରୀ ହୋଇ ଠିଆ ହେବା ପାଇଁ।”

ଟିକେ ନିଶ୍ବାସ ନେଇ ଜଗଦୀଶ ପୁଣି କହିଲା,
– ସୁଖରେ ସମସ୍ତେ ଭାଗିଦାର ହୁଅନ୍ତି ସାଵ, ହେଲେ ଦୁଃଖ ଅସୁବିଧାରେ କେବଳ ଆପଣାର ହିଁ ଠିଆ ହୁଅନ୍ତି। ଟଙ୍କା ପଇସା ଆମେ କମାଉଛୁ ନିଜ ପରିବାର ପାଇଁ।ଯଦି ସେମାନଙ୍କ ଶେଷ ସମୟରେ ଆମେ ଠିଆ ନହେବା, ତେବେ କି ମୂଲ୍ୟ ସେ ଟଙ୍କା’ର ?”

ଚମକି ପଡିଲେ ପ୍ରଦୀପ। ସାମାନ୍ୟ ଡ୍ରାଇଭର ଓ ସ୍ୱଳ୍ପ ଦରମାରେ , ଘର ଠାରୁ ଏତେ ଦୂରରେ କାମ କରୁଥିବା ଜଗଦୀଶ’ର ଏତେ ଉଚ୍ଚ ଭାବନା !
ଘର ଭିତରକୁ ଯାଇ ଗୋଟେ ପ୍ୟାକେଟ ରେ ଟଙ୍କା ପୁରାଇ ଜଗଦୀଶ ହାତକୁ ବଢ଼ାଇଦେଇ ପ୍ରଦୀପ କହିଲେ,
-ଆଜି ହିଁ ତୁ ବାହାରି ଯା। ଆଉ ଟଙ୍କା ଦରକାର ହେଲେ ମୋତେ ଜଣାଇବୁ। ନିଜ ସ୍ୱାର୍ଥ ଅପେକ୍ଷା, ପରିବାର ସବୁବେଳେ ଆଗ।”
ନିଜ ଛଳଛଳ ଆଖିକୁ ପୋଛି ଜଗଦୀଶ ପ୍ରଦୀପଙ୍କୁ ମୁଣ୍ଡିଆ ମାରି ବାହାରିଗଲା। ମାଳବିକାଙ୍କୁ ରୁମରୁ ବାହାରିଆସୁଥିବାର ଦେଖି ପ୍ରଦୀପ ମୋବାଇଲ କାଢି ଗାଁକୁ ଫୋନ ଲଗାଇ ସାନଭାଇକୁ କହିଲେ,
-ମୋ ଛୁଟି ସାଂକ୍ସନ ହୋଇ ଯାଇଛି। ଆମେ ସମସ୍ତେ ଆଜି ଗାଁକୁ ଆସୁଛୁ ଖୁଡ଼ୀଙ୍କୁ ଦେଖିବାକୁ।”

ଫୋନ ରଖିଲା ପରେ ବିରକ୍ତି ଭରା ସ୍ୱରରେ ମାଳବିକା ପଚାରିଲେ,
-ତୁମ ମୁଣ୍ଡ ଖରାପ ହୋଇଗଲାଣି ନା କଣ ? ଆଜି ଗାଁଙ୍କୁ କାହିଁକି ଯିବା ?ସଖୁଡୀ ତ ଠିକ ଅଛନ୍ତି ।ଗାଁକୁ ପରେ କ୍ରିୟାକର୍ମ ପାଇଁ ଟଙ୍କା ପଠାଇ ଦେଇପାରିବ। ଆଉ ଆମ ଟ୍ରିପ ପ୍ଲାନ ! ତା ଛଡା ମୁଁ ଏତେ ମନା କରିବା ସତ୍ବେ ବି ତମେ ସେ ଡ୍ରାଇଭରକୁ ଟଙ୍କା କାହିଁକି ଦେଲ ? ମୁଁ ଜାଣିପାରୁନି ସେ ତୁମକୁ କି ଗଣିତପାଠ ପଢ଼ାଇଲା।”

ସ୍ତ୍ରୀଙ୍କ କାନ୍ଧରେ ହାତ ରଖି ପ୍ରଦୀପ କହିଲେ,
-ମଲା ମଣିଷ ଅପେକ୍ଷା ଶେଷ ଶଯ୍ୟାରେ ପଡିଥିବା ଆପଣାରକୁ ଦେଖିବା ଆମର କର୍ତ୍ତବ୍ୟ। ଖୁଡୀ ଙ୍କୁ ନଦେଖି ଯଦି ଆମେ ଟ୍ରିପରେ ଯାଉ, ତେବେ ସାରାଜୀବନ ମୁଁ ନିଜକୁ କ୍ଷମା କରିପାରିବିନି । ମୋ ପିଲେ କଣ ଶିଖିବେ ? ଟଙ୍କା ବଡ଼ ନୁହେଁ, ମଣିଷପଣିଆ ଓ ସମ୍ପର୍କ ହେଉଛି ସବୁଠୁ ବଡ଼। ଏସବୁ ଆମେ ପଢିଥିବା ଗଣିତ, ଆଲଜେବ୍ରା, ଜ୍ୟାମିତି,
ପରିମିତିନୁହେଁ, ବରଂ ଏହା ହେଉଛି ଜୀବନଗଣିତସୂତ୍ର।”

ରଚନା: ଅରବିନ୍ଦ ଦାସ

Show More

Related Articles

Back to top button