
ଲଣ୍ଡନ: ବୋରିଶ ଜନସନ ପଦ ଛାଡିବା ପରେ ବୋରିଶଙ୍କ ଉତ୍ତରାଧିକାରୀ ଭାବେ ଋଷି ସୁନକଙ୍କ ନାଁ ଆଗରେ ଥିଲା । କିନ୍ତୁ ରାଜନୈତିକ ସମୀକରଣର ଓଲଟପାଲଟ ଭିତରେ ଋଷି ସୁନକ ପଛରେ ପଡିଯାଇଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶୁକ୍ରବାର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଜୋରଦାର ପ୍ରଚାର ମଧ୍ୟରେ ଶୁକ୍ରବାର କନଜରଭେଟିଭ ପାର୍ଟିର ସଦସ୍ୟ ଭୋଟ୍ ଦେଇଛନ୍ତି। ତେବେ ସୋମବାର ଏହାର ଫଳାଫଳ ଘୋଷଣା କରାଯିବ ବୋଲି ସ୍ଥିର କରାଯାଇଛି। କିନ୍ତୁ ମତଦାନରେ ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସ୍ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଉପରେ ଭାରି ପଡୁଛନ୍ତି। ଦେଶବ୍ୟାପୀ ହୋଇଥିବା କନଜରଭେଟିଭ୍ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନସେଲର ଋଷି ସୁନକଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି ଲିଜ୍ ଟ୍ରସ୍। ଟ୍ରସ୍ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। କ୍ଷମତାସୀନ କନ୍ଜରଭେଟିଭ ପାର୍ଟିର ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବା ପରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିବେ। ନିଜ ସରକାରର ନୀତି ଏବଂ ଦୁର୍ନୀତି ବିରୋଧରେ ଅନେକ ମନ୍ତ୍ରୀଙ୍କ ଇସ୍ତଫା ପରେ ଜୁଲାଇରେ ଜନସନ ପଦ ଛାଡିବାକୁ ଘୋଷଣା କରିଥିଲେ।