ଉବୁଟୁବୁ ନାଗପୁର ସହର
ବନ୍ୟା ପାଣିରେ ଉବୁଟୁବୁ ନାଗପୁର ସହର । ଗତକାଲି ୧୦୦ରୁ ୧୨୦ ମିଲିମିଟର ବର୍ଷା ହେବା ପରେ ମହାରାଷ୍ଟ୍ରର ନାଗପୁର ସହରର ଦୟନୀୟ ସ୍ଥିତି ହୋଇପଡିଛି । ରାସ୍ତାଘାଟ, ଲୋକଙ୍କ ଘରେ ଅଣ୍ଟା ଉଚ୍ଚ ପାଣି । ଏଭଳି ସ୍ଥିତିରେ NDRF ଓ ସେନା ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ମହାରାଷ୍ଟ୍ର ସରକାର ।
ମହାରାଷ୍ଟ୍ରର ଏହି ବଡ଼ ସହରରେ ରାତାରାତି ଉବୁଟୁବୁ ସ୍ଥିତି । ରାସ୍ତାରେ ଯାନବାହନ ବଦଳରେ ଚାଲିଛି ବୋଟ୍ । ଆଉ କାର୍ ଓ ବସ୍ ଆଦିର ଅବସ୍ଥା କହିଲେ ନସରେ । ଗାଡ଼ି କଥା ଛାଡ଼ନ୍ତୁ, ଘରଦ୍ୱାର, ଦୋକାନ ବଜାର ବି ପାଣିରେ ବୁଡ଼ିଛି । ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ସଂଘର୍ଷ । ଦୂର ଦୂର ଯାଏଁ ଖାଲି ପାଣି ଆଉ ପାଣି । କେନାଲରୋଡ ରାମଦାସପେଠ, କର୍ପୋରେସନ ସୋସାଇଟି ସମେତ ନାଗପୁର ସହରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ସ୍ଥିତିରେ ରହିଛି । ହଜାର ହଜାର ଲୋକଙ୍କ ସାଧାରଣ ଜୀବନଯାତ୍ରା ଠପ୍ ପଡ଼ିଯାଇଛି । କାଲି ବର୍ଷା ଯୋଗୁଁ ଏହବାବ କଲୋନିରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ଖବର ପ୍ରକାଶ ପାଇଛି ।