ଓଡ଼ିଶା ବଂଚାଅ ସମାବେଶରେ ମଲ୍ଲିକାର୍ଜୁନ ଖଡଗେ
ସେ ପଟ୍ଟନାୟକ,ଏ ପଟ୍ଟନାୟକ ମଧ୍ୟରେ ବହୁତ ଫରକ
ଭୁବନେଶ୍ୱର, 29 ଜାନୁଆରୀ – ଭୁବନେଶ୍ୱର ଲୋୟର ପିଏମଜିରେ ଅନୁଷ୍ଠିତ ହୋଇଛି କଂଗ୍ରେସର ଓଡ଼ିଶା ବଂଚାଅ ସମାବେଶ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଏଥିରେ ଯୋଗ ଦେଇ ଉଭୟ ବିଜେପି ଓ ବିଜେଡି ସରକାର ଉପରେ ଖୁବ୍ ବର୍ଷିଛନ୍ତି । ନିଜ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଖଡଗେ । ତା’ ସହିତ ସେ ନାଁ ନନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ।
ସମାବେଶରେ ଖଡଗେ କହିଥିଲେ ଯେ କଂଗ୍ରେସ ପାଇଁ ଓଡିଶା ସବୁବେଳେ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ ଘନିଷ୍ଠ ସମ୍ପର୍କ ଥିଲା । କିନ୍ତୁ ଏବେକାର ପଟ୍ଟନାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି । ବିଜେପି ଓ ବିଜେଡି ମଧ୍ୟରେ ଆମେ ବାହାଘର କରିଛୁ । ଉଭୟଙ୍କ ମଧ୍ୟରେ ଲଭମ୍ୟାରେଜ ହୋଇଯାଇଛି ।ଉଭୟ ସରକାର ମିଳିମିଶି ଓଡିଶାକୁ ଖାଲି କରିବାକୁ ଯୋଜନା କରିଛନ୍ତି । ଓଡିଶାରେ ପାରାଦ୍ୱୀପ ବନ୍ଦର ସହ ରାଉରକେଲା ଷ୍ଟିଲ ପ୍ଲାଂଟ କଂଗ୍ରେସ କରିଛି । ମଂଚେଶ୍ୱରରେ ରେଳ କୋଚ କଂଗ୍ରେସ ସରକାରରେ ହୋଇଛି । ତେବେ ନବୀନ ପଟ୍ଟନାୟକ ଓ ମୋଦି ଓଡ଼ିଶାରେ କଣ କରିଛନ୍ତି ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି ।
ମୋଦି ସରକାରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ସିବିଆଇ, ଇଡି ଲଗାଇ ହୁକୁମାତି କରୁଛନ୍ତି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଂଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଂଚିବ କି ?ଏଥର ଯଦି ମୋଦି ଜିତିବେ ତେବେ ଏକଛତ୍ରବାଦ ଚଳାଇବେ । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ । ସେହିପରି ନାଁ ନନେଇ ପାଣ୍ଡିଆନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଖଡଗେ । ସେ କହିଛନ୍ତି ଗୋଟିଏ ଅଫିସରକୁ ବସାଇ ଓଡ଼ିଶାରେ ସରକାର ଚାଲିଛି । ଆପଣଙ୍କ ପାଖରେ କ’ଣ ଲୋକ ନାହାନ୍ତି, ବାହାରୁ ଆଣିବାକୁ ପଡ଼ିଲା । ଗୋଟିଏ ଲୋକ ବାହାରୁ ଆସି ପରାମର୍ଶଦାତା ବନିଗଲେ । ଉକ୍ତ ତାମିଲନାଡୁ କ୍ୟାଡର ଆଇଏଏସ୍ ଏବେ ପରାମର୍ଶଦାତା ପାଲଟିଛନ୍ତି ।
ଏହି ସମାବେଶରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ ଓ ବରିଷ୍ଠ ନେତାମାନେ ସମାବେଶରେ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରେ ପହଂଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଦିନିକିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ମଲ୍ଲିକାର୍ଜୁନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଭବ୍ୟ ସ୍ୱାଗତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ କରାଯାଇଥିଲା । କେବଳ ସେତିକି ନୁହେଁ, ଏହି ଗସ୍ତର ପ୍ରଭାବ କିଭଳି ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବ ସେ ନେଇ ମଧ୍ୟ ପିସିସି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ।