Breaking PLUSଓଡ଼ିଶାମୁଖ୍ୟ ଖବର

ହସ୍ତତନ୍ତରେ ମାଣିଆବନ୍ଧ ଶ୍ରେଷ୍ଠ ପର୍ଯ୍ୟଟନ ଗାଁ

କଟକ- ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଚଳିତ ବର୍ଷର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ବିଭାଗ ଦ୍ବାରା ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ଉତ୍ସବରେ ହସ୍ତକଳା କ୍ଷେତ୍ରରେ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ କଟକ ଜିଲା ଅନ୍ତର୍ଗତ ହସ୍ତତନ୍ତ ତଥା ବୟନ କଳା ଓ ଏହାର କୁଶଳୀ କାରିଗରଙ୍କ ଗ୍ରାମ ମାଣିଆବନ୍ଧ ପୁରସ୍କୃତ ହୋଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ୍ ରାଉତରାୟ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ଅଞ୍ଜନ ବାରିକ ଏବଂ ମାଣିଆବନ୍ଧ ଗ୍ରାମରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲୁ ପ୍ରଧାନ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସାଂସ୍କୃତିକ ପ୍ରସିଦ୍ଧି ଓ ପ୍ରାକୃତିକ ସମ୍ପଦ ସାଙ୍ଗକୁ ମୂଲ୍ୟବୋଧ ଭିତ୍ତିକ ଗୋଷ୍ଠୀଗତ ଜୀବନଶୈଳୀକୁ ସଂରକ୍ଷଣ କରିବା ଏବଂ ପ୍ରୋତ୍ସାହିତ କରି ଅର୍ଥନୈତିକ, ସାମାଜିକ ଏବଂ ଅନ୍ୟାନ୍ୟ ଦିଗରେ ସ୍ଥିରତା ଆଣିବା​‌ରେ ପ୍ରତିବଦ୍ଧତା ସୃଷ୍ଟି କରୁଥିବା ଗ୍ରାମକୁ କେନ୍ଦ୍ର ସରକାର ସର୍ବୋତ୍ତମ ପର୍ଯ୍ୟଟନ ଗ୍ରାମର ସମ୍ମାନ ପ୍ରଦାନ କରିଆସୁଛନ୍ତି। ଗ୍ରାମକୁ ଭାରତର ଆତ୍ମା ଭାବେ ଗ୍ରହଣ କରାଯାଇ ୨୦୨୩ ମସିହାରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ସମ୍ମାନ ପ୍ରତିଯୋଗିତା ପ୍ରଚଳନ କରାଯାଇଛି। ପ୍ରଥମ ବର୍ଷରେ ସମଗ୍ର ଭାରତରୁ ୭୯୫ଟି ଗ୍ରାମରୁ ଆବେଦନ ଆସିଥିବାବେଳେ ଚଳିତ ବର୍ଷ ତଥା ଦ୍ବିତୀୟ ବର୍ଷ ୨୦୨୪ ପାଇଁ ୩୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ସମୁଦାୟ ୯୯୧ ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରେ ୩୬ ଗୋଟି ଗ୍ରାମ ପର୍ଯ୍ୟଟନର ୮ଟି ବର୍ଗରେ ବିଜେତା ଭାବେ ମାନ୍ୟତା ପାଇବା ସହ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button