
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜ୍ୟେଷ୍ଠ ନେତା ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କୁ ଏକ ଭାବପୂର୍ଣ୍ଣ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପକ୍ଷରୁ କୌଣସି ଓକିଲ କୋର୍ଟରେ ମାମଲା ଲଢିବେ ନାହିଁ ଏବଂ ସେ ଏହାକୁ “ସତ୍ୟାଗ୍ରହ” ଭାବେ ଦେଖୁଛନ୍ତି।
ସିସୋଦିଆ ନିଜ ପତ୍ରରେ ନ୍ୟାୟ ବ୍ୟବସ୍ଥା ପ୍ରତି ଗଭୀର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସେ ନ୍ୟାୟ ପାଇବା ନେଇ ଆଶାବାଦୀ ନୁହେଁ। “ଏହି ବ୍ୟବସ୍ଥାରୁ ନ୍ୟାୟ ମିଳିବ ବୋଲି ଆଶା ରହିନାହିଁ, ତେଣୁ ସତ୍ୟାଗ୍ରହ ହିଁ ମୋର ଏକମାତ୍ର ବିକଳ୍ପ,” ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି।
ସେ କେନ୍ଦ୍ର ସରକାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ମଧ୍ୟ ପରୋକ୍ଷ ଭାବେ ଟାର୍ଗେଟ କରି କହିଛନ୍ତି ଯେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଏବେ ପ୍ରଭାବିତ ହେଉଛି। “ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ ବର୍ତ୍ତମାନ ତୁଷାର ମେହେଟ୍ଟାଙ୍କ ହାତରେ ରହିଛି,” ବୋଲି ସେ ଲେଖିଛନ୍ତି।
ଉଲ୍ଲେଖନୀୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସିସୋଦିଆ ସହିତ ମୋଟ ୨୩ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ତଳକୋର୍ଟ ଏହି ବର୍ଷ ଫେବୃଆରୀରେ ଉଭୟଙ୍କୁ ଆଶ୍ୱସ୍ତି ଦେଇଥିଲା, କିନ୍ତୁ ପରେ ସିବିଆଇ ଏହା ବିରୋଧରେ ଅପିଲ୍ କରିଥିବାରୁ ମାମଲା ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ଅଛି।
କେଜ୍ରିୱାଲଙ୍କ ପରେ ସିସୋଦିଆଙ୍କ ଏହି ପଦକ୍ଷେପ ଆଇନ ଓ ରାଜନୀତି ମଞ୍ଚରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି, ଯାହା ଆଗାମୀ ଦିନରେ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।



