
ନୂଆଦିଲ୍ଲୀ: ଆଧାରକାର୍ଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟତା ଆସିଛି। Unique Identification Authority of India ଜଣାଇଛି ଯେ ଆଧାରକାର୍ଡକୁ ଆଉ ଜନ୍ମ ତାରିଖ କିମ୍ବା ବୟସ ପ୍ରମାଣ ଭାବେ ଗ୍ରହଣ କରାଯିବ ନାହିଁ। ଏହା କେବଳ ପରିଚୟ ଓ ବାସସ୍ଥାନ ଠିକଣା ପ୍ରମାଣ ଭାବେ ବ୍ୟବହୃତ ହେବ।
ୟୁଆଇଡିଏଆଇ ଅନୁସାରେ, ଆଧାରରେ ଥିବା ଜନ୍ମତାରିଖ ସବୁବେଳେ ପ୍ରମାଣିତ ଡକ୍ୟୁମେଣ୍ଟ ଉପରେ ଆଧାରିତ ନ ହୋଇପାରେ। ଅନେକ ଲୋକ ଅନୁମାନ ଆଧାରରେ ଜନ୍ମତାରିଖ ଦେଇଥିବାରୁ ଏହାକୁ ଆଇନଗତ ଭାବେ ବୈଧ ପ୍ରମାଣ ଭାବେ ଧରାଯାଉ ନାହିଁ।

ଦେଶର ବିଭିନ୍ନ ନ୍ୟାୟାଳୟ ଓ ସରକାରୀ ବିଭାଗମାନେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ଆଧାରକାର୍ଡ ବୟସ କିମ୍ବା ଜନ୍ମତାରିଖର ନିଶ୍ଚିତ ପ୍ରମାଣ ନୁହେଁ। ଏହା ପରିବର୍ତ୍ତେ ଜନ୍ମ ପ୍ରମାଣପତ୍ର, ଦଶମ ଶ୍ରେଣୀର ମାର୍କଶୀଟ୍, ପାସପୋର୍ଟ କିମ୍ବା ସରକାରୀ ଭାବେ ଜାରି ହୋଇଥିବା ଅନ୍ୟ ପ୍ରମାଣପତ୍ରକୁ ବୈଧ ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରାଯିବ।
ଯଦିଓ ଏହା କୌଣସି ନୂଆ ନିୟମ ନୁହେଁ, ବରଂ ପୂର୍ବରୁ ଥିବା ନିୟମକୁ ଆହୁରି ସ୍ପଷ୍ଟ କରାଯାଇଛି। ତେଣୁ ନାଗରିକମାନଙ୍କୁ ଜନ୍ମତାରିଖ ପ୍ରମାଣ ପାଇଁ ଠିକ୍ ଡକ୍ୟୁମେଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖନୀୟ ଯେ, ଆଧାରକାର୍ଡ ଦେଶରେ ପ୍ରାୟ ସମସ୍ତ ସରକାରୀ ଓ ବ୍ୟାଙ୍କିଂ କାର୍ଯ୍ୟରେ ଆବଶ୍ୟକ ଡକ୍ୟୁମେଣ୍ଟ ହୋଇପାରିଛି। କିନ୍ତୁ ଜନ୍ମତାରିଖ ପ୍ରମାଣ ପାଇଁ ଏହା ଉପରେ ନିର୍ଭର କରିବା ଏବେ ଠିକ୍ ହେବ ନାହିଁ ବୋଲି ସୂଚିତ କରାଯାଇଛି।



