
ଗତକାଲିଠୁ ସୁବର୍ଣ୍ଣରେଖା ନଦୀର ଜଳସ୍ଥର ହ୍ରାସ ପାଇଛି । ଏହା ଏକ ପ୍ରକାର ଆଶ୍ୱସ୍ତିକର ଖବର ହୋଇଥିବାବେଳେ ଏବେବି ଜଳବନ୍ଦୀ ଅବସ୍ଥାରେ ବାଲେଶ୍ୱର ଜିଲାର ୧୭୦ରୁ ଅଧିକ ଗାଁ । ନଦୀରେ ବନ୍ୟା ଯୋଗୁଁ ବିଭିନ୍ନ ଗାଁକୁ ମାଡ଼ିଯିବାରୁ ବିଶେଷ ଭାବେ ଧାନ, ପରିବା, କୁକୁଡା ଓ ମାଛ ଚାଷୀଙ୍କ ସମେତ ଗୋପାଳକମାନେ ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ, ବିଷ୍ଣୁପୁର ପଞ୍ଚାୟତର ରସୁଲପୁର ଠାରେ ସୁବର୍ଣ୍ଣରେଖା ନଦୀ ତଟରେ ସୃଷ୍ଟି ହୋଇଥିବା ବଡ଼ ଘାଇ ପାଇଁ ପାଣିର ପ୍ରଖର ସୁଅ ଛୁଟୁଛି । ଏହି ପାଣି ଜାମକୁଣ୍ଡା ଅଞ୍ଚଳର ବଡ଼ ତାଳପଦା, ସାନ ତାଳପଦା, କୁହ୍ଲାଚଡ଼, ବିଷ୍ଣୁପୁର ପଞ୍ଚାୟତର ବିଷ୍ଣୁପୁର, ଇକଡପାଳ, ରସୁଲପୁର, ନୟାବାଲି ଆଡ଼କୁ ମାଡ଼ିଚାଲିଥିବାରୁ ଏହି ୭ ଗାଁ ପାଣିଘେରରେ ରହିଛି । ଘାଇ ମରାମତି ନ ହେବା ଯାଏ ଏହି ଗାଁ ସବୁ ପାଣିଘେରରେ ରହିବା ନିଶ୍ଚିତ । ଫଳରେ ଲୋକେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇରହିବେ ।
ସେହିପରି ବାଲିଆପାଳ ବ୍ଲକର ପାଳ ଚମ୍ପେଇ, ରାଉତୁରାପୁର, ଚୌଧୁରୀକୁଦ, ସୂର୍ଯ୍ୟାପୁର ଆଦି ୩୦ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି। ବିଷ୍ଣୁପୁରରୁ ପନ୍ତେଇ ଘାଟ ଯାଏ ରାସ୍ତା ପାଣିରେ ବୁଡ଼ି ରହିଥିବାରୁ ଏଥିରେ ଯାତାୟାତ ବନ୍ଦ ରହିଛି। ସେହିପରି ଆଜି ମଧ୍ୟ ଜଳେଶ୍ୱର ବ୍ଲକର ୪୦ ଗାଁ ପାଣିଘେରରେ ରହିଥିଲା। ବ୍ଲକର ବାଇଗଣବାଡ଼ିଆ, ପଶ୍ଚିମବାର୍ଡ, ଖାଲିନା, ଝାଡପିପଳ, ରାୟା ରାମଚନ୍ଦ୍ରପୁର, ଗଡ଼ସାହି ବାଲିଆପାଳ, ପାଇକସିଦା ପଞ୍ଚାୟତର ଗାଁ ପାଣିଘେରରେ ରହିଥିବାବେଳେ ୧୬ଟି ଗାଁରେ ସଙ୍ଗୀନ ପରିସ୍ଥିତି ରହିଥିବା ଜଣାଯାଇଛି। ଜଳେଶ୍ୱର-ପଶ୍ଚିମବାର୍ଡ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ସେହିପରି ଆଜି ମଧ୍ୟ ଭୋଗରାଇ ବ୍ଲକର ପ୍ରାୟ ଶହେ ଗାଁ ପାଣିଘେରରେ ରହିଥିଲା। ଦହମୁଣ୍ଡା-ଭୋଗରାଇ ଓ ଭୁଷଣ୍ଡେଶ୍ୱର ଭୁଆବନ୍ଧ ରାସ୍ତାରେ ପାଣିର ସୁଅ ଛୁଟୁଥିବାରୁ ଯାତାୟାତ ବନ୍ଦ ରହିଛି।