ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ବିଜୟୀ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଶୁଭେଚ୍ଛା ଜଣାଇଲେ ପରାଜିତ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା । ଶୁଭେଛା ଜଣାଇବା ସହିତ ନିର୍ବାଚନରେ ଭୋଟ୍ ଦେଇନଥିବା ଦଳକୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ । ସେ କହିଛନ୍ତି, ନିର୍ବାଚନ ଜରିଆରେ ବିରୋଧୀ ଏକାଠି ହେବାର ସୁଯୋଗ ଥିଲା । କିନ୍ତୁ କିଛି ବିରୋଧୀ ଦଳ ଭୋଟ୍ ନଦେଇ ପରୋକ୍ଷରେ ବିଜେପିକୁ ସହଯୋଗ କରିଛନ୍ତି । ଏଭଳି କରି ବିରୋଧୀ ଏକତାକୁ ଧକ୍କା ପହଞ୍ଚାଇଛନ୍ତି । ଭୋଟ ଦେଇନଥିବା ଦଳ ନିଜର ବିଶ୍ୱାସନୀୟତା ହରାଇଛନ୍ତି । ମାର୍ଗାରେଟ ଏଭଳି କହି ଟିଏମସିକୁ ଟାର୍ଗେଟ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମିଳିତ ହୋଇ ମାର୍ଗାରେଟଙ୍କୁ ପ୍ରାର୍ଥୀ କରିଥିଲେ । କିନ୍ତୁ ସଂସଦରେ ଟିଏମସିର ୩୪ ସାଂସଦ ରହିଥିଲେ ମଧ୍ୟ ପ୍ରାର୍ଥୀ ଚୟନ ବେଳେ ଟିଏମସିର ପରାମର୍ଶ ନିଆଯାଇନଥିଲା । ତେଣୁ ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରି ଭୋଟ୍ ଦେବେନି ବୋଲି କହିଥିଲେ ।