ଯୁକ୍ତ ଦୁଇ ଆଡମିଶନକୁ ନେଇ ଚିନ୍ତାରେ ମେଧାବୀ ଛାତ୍ରଛାତ୍ରୀ

ମାଟ୍ରିକ ଫଳ ପ୍ରକାଶକୁ ସପ୍ତାହେ ବିତିଲେ ମଧ୍ୟ ଏଯାଏ ଯୁକ୍ତ ଦୁଇ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନି । ଯାହାକୁ ନେଇ ଚିନ୍ତାରେ ମେଧାବୀ ଛାତ୍ରଛାତ୍ରୀ। ଏହାସହ ଚଳିତ ଥର ପାସ୍ ହାର ବଢିଥିବାରୁ ଭଲ କଲେଜ୍ରେ ଆଡମିଶନ ମିଳିବ ନା ନାହିଁ ତାକୁ ନେଇ ଛାତ୍ରଛାତ୍ରୀ ଆଶଙ୍କାରେ । ଅନ୍ୟପଟେ ୪୫ହଜାର ପିଲା କାହିଁକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଲେନି ତାର ତଥ୍ୟ ସଂଗ୍ରହ ଖୋଜୁଛି ଗଣଶିକ୍ଷା ବିଭାଗ । ଅଭିଭାବକ ସଂଘର ଦାବି ତୁରନ୍ତ ଡ୍ରପ ଆଉଟ ପିଲାଙ୍କୁ ମୁଖ୍ୟ ସ୍ରୋତକୁ ଅଣାଯାଉ । ମାଟ୍ରିକ ପାସ୍ ହାର ବଢିଲା, ତା ସହ ବଢିଲା ମେଧାବୀ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ଚିନ୍ତା । ଭଲ କଲେଜରେ ସିଟ୍ ମିଳିବ ନା ନାହିଁ ଏମିତି ଆଶଙ୍କା ଏବେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧା ବଢାଇଦେଲାଣି । କାରଣ କଟ୍ ଅଫ୍ ଏଥର ଅଧିକ ଯାଇପାରେ । ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ପ୍ରତିଶତ ଆଉ A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ ହଜାର ୧୧୯ ଜଣ ଛାତ୍ରଛାତ୍ରୀ । ଯାହାକି ବିଗତ ବର୍ଷ ଗୁଡିକ ଠାରୁ ଯଥେଷ୍ଟ ଅଧିକ । ଏହା ବ୍ୟତୀତ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧିନରେ ଥିବା କଲେଜରେ ଆଡମିଶନ କରିବେ । ଏଥିପାଇଁ ବିଜେବି, ରମାଦେବୀ, ରେଭେନ୍ସା ଭଳି ଅଗ୍ରଣୀ ସରକାରୀ କଲେଜ୍ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି । ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଗୁଡିକରେ ମଧ୍ୟ ଆଡମିଶନକୁ ନେଇ ସମସ୍ୟା ଦେଖାଦେଇପାରେ । ପାଖରେ ଥିବା କଲେଜ୍ରେ ପଢିବା ପାଇଁ ପିଲାଏ ଇଚ୍ଛୁକ ଥାନ୍ତି । ହେଲେ କମ୍ ସଂଖ୍ୟକ ସିଟ୍ ଓ ପାସ୍ ହାର ବଢିଥିବାରୁ ପାଖ କଲେଜରେ ସ୍ଥାନୀୟ ପିଲାଙ୍କୁ ଆଡମିଶନ୍ ନମିଳିପାରେ । ବିଶେଷକରି ଛାତ୍ରୀମାନଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇପାରେ କଲେଜ୍ ଗୁଡିକରେ ସିଟ୍ ବଢାଇବା ପାଇଁ ଦାବି ଉଠିଲାଣି । ସେପଟେ ସିଟକୁ ନେଇ କୌଣସି ସମସ୍ୟା ଉପୁଜିବନି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।