ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ମୋଦିଙ୍କ ବଡ ନିଷ୍ପତ୍ତି
ଉଦ୍ଧାର କାର୍ଯ୍ୟରି ସାମିଲ୍ ହେବ ସି -୧୭ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଋଷ ଏବଂ ୟୁକ୍ରେନ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । କିଭ୍ ଆଡକୁ ମାଡି ଆସୁଛନ୍ତି ଋଷ ସେନା । ଏଥିମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବାକୁ ମଙ୍ଗଳବାର ଦିନ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ବାୟୁସେନା ପାଖରେ ସି -୧୭ ଏୟାରକ୍ରାଫ୍ଟ ରହିଛି । ଯାହାକି ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀକୁ ମଧ୍ୟ ଶୀଘ୍ର ପହଞ୍ଚାଇପାରିବ । ଭାରତୀୟ ବାୟୁସେନାର ସି -୧୭ ବିମାନ ଆଜି ଅପରେସନ୍ ଗଙ୍ଗା ମିଶନ ଅଧୀନରେ ଉଡ଼ାଣ ଆରମ୍ଭ କରିବ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଯୁଦ୍ଧର ପ୍ରାରମ୍ଭ ଦିନରୁ ୟୁକ୍ରେନ ଉପରେ ଋଷ ଆତ୍ମଘାତୀ ଆକ୍ରମଣ କରୁଛି । ଫଳରେ ସେଠାରେ ଫସିରହିଥିବା ଭାରତୀୟମାନେ ବେସମେଣ୍ଟରେ ରହିବା ସହିତ ଭୋକିଲା ଏ ଶୋଷିଲା ରହୁଛନ୍ତି ।ତେବେ ସେମାନଙ୍କୁ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ୬ଟି ବିମାନ ଭାରତୀୟଙ୍କୁ ଆଣିଥିବାବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।