ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୋକିମ

ନୂଆଦିଲ୍ଲୀ- ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଏପ୍ରିଲ ୧୦ ରାୟକୁ କଟକ ବିଧାୟକ ମହମ୍ମଦ ମୋକିମ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ୧୯ ବର୍ଷ ପୂର୍ବର ଓଏଚଆରଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ ଅଦାଲତ ମେଟ୍ରୋ ବିଲଡର୍ସ ପ୍ରାଇଭେଟ ଲିମିଟେଡ଼ର ତତ୍କାଳୀନ ପରିଚାଳନା ନିର୍ଦେଶକ ମହମ୍ମଦ ମୋକିମଙ୍କୁ ଦେଇଥିବା ୩ ବର୍ଷ ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଥିଲେ। ଯଦ୍ୱାରା ୨୦୨୪ ନିର୍ବାଚନରେ କଟକ-ବାରବାଟୀ ବିଧାନସଭା କ୍ଷେତ୍ରରୁ ମୋକିମଙ୍କ ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା ।
ଓଡ଼ିଶା ହାଇକୋର୍ଟଙ୍କ ୨୦୨୪ ଏପ୍ରିଲ ୧୦ ରାୟ ଉପରେ ରହିତାଦେଶ ଜାରି ସହ ଦଣ୍ଡାଦେଶ ଉପରେ ନିଲମ୍ବନ ଆଦେଶ ଜାରି କରିବାକୁ ନିବେଦନ କରାଯାଇଛି। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ମହମ୍ମଦ ମୋକିମଙ୍କୁ ଜାମିନ ପ୍ରଦାନ ଏବଂ ଜୋରିମାନା ରାଶି ଆଦାୟ ଉପରେ ରୋକ ଲଗାଯିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ମାମଲାର ଶୁଣାଣି ଏପ୍ରିଲ ୧୯କୁ ଧାର୍ଯ୍ୟ ହୋଇଛି।