ଧୋକା ଦେଲା ମୌସୁମୀ !
୧୯ ବର୍ଷରେ ଅଗଷ୍ଟ ମାସରେ ଦେଶରେ ସବୁଠୁ କମ ବର୍ଷା, ମଧ୍ୟ ଭାରତରେ ସ୍ଥିତି ଚିନ୍ତାଜନକ

ଚଳିତ ବର୍ଷ ଅଗଷ୍ଟ ମାସରେ ଗତ ୧୯ ବର୍ଷରେ ସବୁଠୁ କମ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଶୁକ୍ରବାର ଜଣାଇଛି ଯେ, ଅଗଷ୍ଟରେ ୨୪ ପ୍ରତିଶତ ବର୍ଷା କମ ହୋଇଛି। ମୌସୁମୀର ଅବଧି ସେପ୍ଟେମ୍ବର ୩୦ରେ ଶେଷ ହେବ। ବାକି ୨୦ ଦିନରେ କମ ହୋଇଥିବା ବର୍ଷାର ଭରଣା କେତେ ହେବ, ଏହାକୁ ନେଇ ପାଣିପାଗ ବିଭାଗ କୌଣସି ସୂଚନା ଦେଇ ନାହିଁ। ମୋଟାମୋଟି କହିବାକୁ ଗଲେ ଦେଶରେ ଏଥର କମ୍ ବର୍ଷା ହୋଇଛି। ଏଥିରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଆଇଏମଡି ଅନୁସାରେ, ଦୁର୍ବଳ ମୌସୁମୀ ଅଗଷ୍ଟ ୯ରୁ ୧୬ ଏବଂ ଅଗଷ୍ଟ ୨୩ ରୁ ୨୭ ମଧ୍ୟରେ ସକ୍ରିୟ ରହିଥିଲା। ଏହି ସମୟରେ ଭାରତର ଉତ୍ତର-ପଶ୍ଚିମ, ମଧ୍ୟ ତଥା ଏହାର ଆଖପାଖ ଅଞ୍ଚଳରେ ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ କମ୍ ବର୍ଷା ହୋଇଛି। ସମଗ୍ର ଦେଶରେ ଅଗଷ୍ଟ ମାସରେ ହାରାହାରି ୨୪ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି, ଯାହା ୨୦୦୨ ପରଠୁ ଅର୍ଥାତ ଗତ ୧୯ ବର୍ଷରେ ସବୁଠୁ କମ ବର୍ଷା ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ ଦେଶରେ ପ୍ରବେଶ କରିଥାଏ ଏବଂ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଜୁନ ମାସରେ ୧୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିଲା। ହେଲେ ଜୁଲାଇ ଏବଂ ଅଗଷ୍ଟ ମାସରେ କ୍ରମଶଃ ୭ ଏବଂ ୨୪ ପ୍ରତିଶତ କମ ବର୍ଷା ହୋଇଛି।
ମଧ୍ୟ ଭାରତରେ ୩୯ ପ୍ରତିଶତ କମ ବର୍ଷା
ପାଣିପାଗ ବିଭାଗ ଅନୁଯାୟୀ, ଅଗଷ୍ଟରେ ଦେଶରେ ସ୍ଵାଭାବିକଠୁ ୨୪ ପ୍ରତିଶତ କମ ବର୍ଷା ହୋଇଛି। ବିଶେଷ କରି ମଧ୍ୟ ଭାରତରେ ସ୍ଥିତି ଚିନ୍ତାଜନକ ରହିଛି। ଏହି ଅଞ୍ଚଳରେ ୩୯ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଏହି ନିଅଣ୍ଟିଆ ବର୍ଷା ତାଲିକାରେ ଦେଶର ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ଓଡିଶାର ବଡ କ୍ଷେତ୍ର ସାମିଲ୍।