
ଓଡ଼ିଶାରେ ଜବତ ହେଲା ୨ କୋଟି ଟଙ୍କାର କୋକେନ୍ । ପ୍ରଥମ ଥର ପାଇଁ ଏସଟିଏଫ୍ ଟିମ୍ ରାଜଧାନୀରୁ ୨୦୨ ଗ୍ରାମ୍ ଓଜନର କୋକେନ୍ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ମାଫିଆ ଦୁଇଜଣ ହେଲେ ରାଜସ୍ଥାନ ଚୁଲୁ ଜିଲ୍ଲା ହାମିରବାସ୍ ଅଞ୍ଚଳର ରଭି ସିଂ ଓ ଝୁନଝୁନ୍ ଜିଲ୍ଲା ଖାଡଖାଡି ଅଂଚଳର ସନ୍ନି କୁମାର । ତେବେ ଏହି କୋକେନ୍ ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବେଶ କରିଛି । ଜବତ କୋକେନର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ପୋଲିସର କହିବା ଅନୁଯାୟୀ, ଗିରଫ ହୋଇଥିବା ୨ ମାଫିଆ ଭଲ ଇଂରାଜୀ କହୁଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ସମ୍ପର୍କରେ ଆସୁଥିଲେ । ସେମାନଙ୍କ ଆବଶ୍ୟକତା ବୁଝି କୋକେନ ଯୋଗାଉଥିଲେ । ଏହି ଗ୍ୟାଙ୍ଗର ଚେର ଦିଲ୍ଲୀ ଯାଏଁ ଲମ୍ବିଥିବା ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତର ରଭିର ରାଜସ୍ଥାନରେ ହୋଟେଲ୍ ବ୍ୟବସାୟ ରହିଛି । ହେଲେ କମନ୍ୱେଲ୍ଥ୍ ଗେମ୍ ସମୟରେ ଦିଲ୍ଲୀକୁ ଆସି ଟ୍ରାଭେଲ୍ ବ୍ୟବସାୟ ଆରମ୍ଭ କରିଥିଲା । ଆଉ ଏହି ସମୟରେ ତାର ଅନେକ ବିଦେଶୀ ପର୍ଯ୍ୟଟକ ସମ୍ପର୍କରେ ଆସିଥିଲେ । ଭଲ ଇଂରାଜୀ କହିବାରୁଥିବାରୁ ବିଦେଶୀ ପର୍ଯ୍ୟଟକ ନିକଟତର ହୋଇଥିଲା। ଆଉ ସେମାନଙ୍କ ଆବଶ୍ୟକତାକୁ ବୁଝି କୋକେନ୍ ଯୋଗାଇଥିଲା । କୋକେନ ବ୍ୟବସାୟରେ ଭଲ ଟଙ୍କା ମିଳୁଥିବାରୁ ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖିଥିଲା । ଏହାପରେ ଦିଲ୍ଲୀର ଜଣେ ବଡ଼ କୋକେନ ମାଫିଆ ସହ ମିଶି ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରିଥିଲା । ବ୍ୟବସାୟ ବଢ଼ାଇବା ପାଇଁ ଭୁବନେଶ୍ବରରେ ଥିବା ସମ୍ପର୍କୀୟ ସନ୍ନି ସହ ଯୋଗାଯୋଗ କରିଥିଲା । ରାଜଧାନୀରେ କେମିତି କୋକେନ୍ ବ୍ୟବସାୟ କରି ମୋଟା ଅର୍ଥ ରୋଜଗାର କରିବ ତାଙ୍କୁ ବୁଦ୍ଧି ଦେଇଥିଲା ।