
ଯଦି ଆପଣ ଆଗାମୀ ଧନତେରସରେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ସୁନା ହିଁ ସବୁଠୁ ଭଲ ବିକଳ୍ପ ହୋଇପାରେ। ବର୍ତ୍ତମାନର ବଜାର ଦର ଅନୁସାରେ ନିବେଶ ଲାଗି ବେଶ ଉତ୍ତମ ସୁଯୋଗ ସୃଷ୍ଟି କରିଛି। କାରଣ ଅନ୍ତର୍ଜାତୀୟ ବଜାର ବିଶେଷଜ୍ଞ ଆଗକୁ ସୁନା ଦରରେ ବୃଦ୍ଧି ଆକଳନ କରୁଛନ୍ତି। ଏବେ ଅଶୋଧିତ ତୈଳ, ଆଲୁମିନିୟମ ଓ କୋଇଲା ମୂଲ୍ୟ ବଢିଥିବା ବେଳେ ଆଗାମୀ ପାଳି ସୁନାର। ଏଣୁ ନିବେଶର ବେଶ ରିଟର୍ଣ୍ଣ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ଅନ୍ତର୍ଜାତୀୟ ବଜାରରେ ସୁନା ପ୍ରତି ଆଉନ୍ସ ମୂଲ୍ୟ ୧୮ ଶହ ଡଲାରରୁ ବଢ଼ି ୩ ହଜାର ଡଲାରକୁ ପହଞ୍ଚିପାରେ। କାନାଡା ଖନନ ସହ ସମ୍ପୃକ୍ତ ୨ ବିଶେଷଜ୍ଞ ତଥା ଗୋଲ୍ଜଡ କର୍ପ ଇଂକର ପୂର୍ବତନ ମୁଖ୍ୟ ଡେଭିଡ ଗେରୋଫିଲୋ ଓ ରବ ମେକୱନଙ୍କ ଅନୁସାରେ ଏବେ ସାରା ବିଶ୍ୱରେ ଯେଉଁ ପ୍ରକାର ମୁଦ୍ରାସ୍ପିତି ସ୍ଥିତି ଦେଖା ଦେଇଛି ଏଥିରୁ ସୁନାର ଚାହିଦା ବଢ଼ିବା ସ୍ୱଭାବିକ।
ଏଣୁ ଆଗକୁ ସୁନା ଦର ବଢିବା ନିଶ୍ଟିତ। ଏଣୁ ସୁନା ପ୍ରତି ଆଉନ୍ସ ୩ ହଜାର ଡଲାରକୁ ପହଞ୍ଚିବା କିଛି ବଡ ଅନୁମାନ ନୁହେଁ ବୋଲି ସେମାନେ କହିଛନ୍ତି। ମୁଦ୍ରାସ୍ପିତି ବଢ଼ିଲେ ସୁନା ଦର ମଧ୍ୟ ବଢ଼ି ଯାଏ। ଏଣୁ ନିବେଶକ ସେମାନଙ୍କ ପୁଞ୍ଜିର ସୁରକ୍ଷା ଲାଗି ସୁନାରେ ନିବେଶ କରିଦେଇଥାନ୍ତି। ଭାରତରେ ଏବେ ଉତ୍ସବର ଋତୁ ସାଙ୍ଗକୁ ଆଗକୁ ବିବାହ ଋତୁ ମଧ୍ୟ। ଏଣୁ ଦେଶରେ ସୁନା ପାଇଁ ଚାହିଦା ରହିବା ସ୍ୱଭାବିକ। ଗତବର୍ଷ ଏପ୍ରିଲ-ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ଏହି ସମୟରେ ସୁନା ଆମଦାନୀ ୨୫୨ ପ୍ରତିଶତ ବଢ଼ିଛି। ଗତବର୍ଷ ଏହି ସମୟରେ ୬.୮ ବିଲିୟନ ଡଲାରର ସୁନା ଦେଶକୁ ଆମଦାନୀ ହୋଇଥିବା ବେଳେ ଚଳିତ ବର୍ଷ ୨୪ ବିଲିୟନ ଡଲାରରେ ପହଞ୍ଚିଲାଣି। ଏଥିରେ କେବଳ ସେପ୍ଟେମ୍ବର ମାସରେ ୫.୧୧ ବିଲିୟନ ଡଲାରର ସୁନା ଦେଶକୁ ଆମଦାନୀ ହୋଇଛି।