
ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଡିଜେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ ଦେଶର ପରିବହନ କ୍ଷେତ୍ର ପ୍ରଭାବିତ ହେଉଛି। ଏଥିଯୋଗୁଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ଏହି ମହଙ୍ଗା ମାଡ଼ରେ ବିଚରା ଖାଉଟିମାନେ ଅଣନିଶ୍ୱାନୀ ହୋଇପଡ଼ିଲେଣି। ବିଶ୍ୱ ବଜାରର ଅଶୋଧିତ ତେଲର ଦର ଆଧାରରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରାଯାଉଛି। ଏମିତିକି ଦୈନିକ ବଦଳୁଛି ତେଲ ଦର। ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଉଚ୍ଚା ରହୁଥିବାରୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହୁଛି ବୋଲି ସର୍ବଦା କେନ୍ଦ୍ର ସରକାର କହିଆସୁଛନ୍ତି। ଅସଲ କଥା କିନ୍ତୁ ଅଲଗା। ବିଶ୍ୱ ବଜାରରେ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି।



