
ରାୟଗଡ଼ା : ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ନାଗାବଳୀ ନଦୀ ଝୁଲାପୋଲ । ରାୟଗଡା ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀ ଅବବାହିକାରେ ଥିବା ଝୁଲାପୋଲ ଡେଥ୍ ଜୋନ୍ ପାଲଟି ସାରିଛି । ଏଠାକୁ ବୁଲିବାକୁ ଆସି ବହୁ ପର୍ଯ୍ୟଟକ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ପୋଲକୁ ବନ୍ଦ କରି ଦିଆଯାଇଛି। ପୋଲର ଉଭୟ ପଟୁ ବ୍ୟାରିକେଡ କରାଯାଇଛି । ୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୋଲାପୋଲ । ଝୁଲାପୋଲର ମନୋରମ ଦୃଶ୍ୟ ଦେଖିବା ପାଇଁ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସୁଥିଲେ । ମାତ୍ର ୧୧ ବର୍ଷର ଏହି ପୋଲରେ ଏ ପର୍ଯ୍ୟନ୍ତ ୩୫ ଜଣଙ୍କ ଜୀବନ ଗଲାଣି। ଯାହାକୁ କି ଗୁରୁତର ସହ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ଏହାବାଦ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଅନୁମାନ କରାଯାଉଛି। ତେଣୁ ତାହା ପୂର୍ବରୁ ଏହି ପୋଲଟିକୁ ବନ୍ଦ କରି ଦିଆଯାଇଛି। ଏପରିକି ବାରିକେଡ଼ରେ ଓଡ଼ିଆ, ଇଂରାଜୀ ଓ ତେଲଗୁ ଭାଷାରେ ସୂଚନା ଉଲ୍ଲେଖ ରହିଛି । ଏହି ଖବର ପ୍ରସାରଣା ପରେ ପର୍ଯ୍ୟଟକମାନେ ଆସି ନିରାଶ ହୋଇଛନ୍ତି । ସୂଚନାସାରେ, କିଛି ଦିନ ପୂର୍ବେ ଝୁଲାପୋଲ ବୁଲି ଆସି ନାଗାବଳୀ ନଦୀରେ ଆନ୍ଧ୍ରର ଜଣେ ବ୍ୟକ୍ତି ନିଜ ୩ ପୁଅଙ୍କ ସହ ଗାଧୋଉଥିଲେ। ପାଣିର ପ୍ରଖର ସ୍ରୋତରେ ବାପା ଆଖି ଆଗରେ ୩ ପୁଅ ଭାସି ଯାଇଥିଲେ। ଏହାପରେ ନିଜ ଜୀବନକୁ ବାଜି ଲଗାଇ ବ୍ୟକ୍ତିଜଣକ ୨ ପୁଅଙ୍କୁ କୂଳକୁ ଆଣିଥିବା ବେଳେ ସାନ ପୁଅ କିନ୍ତୁ ପାଣିରେ ଭାସି ଯାଇଥିଲା। ନାଗାବଳୀ ନଦୀର ଚତୁଃପାର୍ଶ୍ୱରେ ଥିବା ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏହି ଝୁଲା ପୋଲକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କିଏ ବିପଦସଙ୍କୁଳ ଭାବେ ସେଲଫି ଉଠାଇ ମୃତ୍ୟୁମୁଖରେ ପଡ଼ୁଛି ତ କେତେବେଳେ ପାଣିକୁ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଉଛନ୍ତି। ତେଣୁ ଏଭଳି ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି।


