ନୋବେଲ ଶାନ୍ତି ପୁରସ୍କାର ପାଇବେ ନାଭି ପିଲ୍ଲେ

ନୂଆଦିଲ୍ଲୀ: ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ଭାରତୀୟ ବଂଶୋଦ୍ଭବ ନଭି ପିଲ୍ଲେଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ଶାନ୍ତି ଓ ଅନ୍ତର୍ଜାତୀୟ ଆଇନର ପ୍ରସାର ଦିଗରେ ତାଙ୍କର ଅବଦାନ ପାଇଁ ନରୱେର ନୋବେଲ କମିଟି ଏହି ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଉଲ୍ଲେଖ ରହିଛି।
ଦକ୍ଷିଣ ଆଫ୍ରିକାର ଡର୍ବାନରେ ଭାରତୀୟ-ତାମିଲ ବଂଶୋଦ୍ଭବ ପରିବାରରେ ଜନ୍ମିତ ନଭି ପିଲ୍ଲେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଓ ବିଚାରପତି। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ଓ ଭେଦଭାବର ସମ୍ମୁଖୀନ ହୋଇଥିବା ସେ ନିଜ କାର୍ଯ୍ୟଜୀବନରେ ମାନବାଧିକାର ଓ ସମାନତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।
ସେ ଦକ୍ଷିଣ ଆଫ୍ରିକାର ହାଇକୋର୍ଟ, ରୁୱାଣ୍ଡା ପାଇଁ ଗଠିତ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ଏବଂ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଏହାସହ ସେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
ଅନ୍ତର୍ଜାତୀୟ ଆଇନ ଓ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୁଦ୍ଧ, ହିଂସା ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ଆଇନଗତ ପଦକ୍ଷେପକୁ ସମର୍ଥନ କରିବାରେ ତାଙ୍କର ଭୂମିକା ରହିଛି। ତାଙ୍କର ଦୀର୍ଘ ଆଇନଗତ ଅଭିଜ୍ଞତା ଓ ମାନବାଧିକାର କ୍ଷେତ୍ରରେ କାର୍ଯ୍ୟ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଛି।



