ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ
ଭୁବନେଶ୍ୱର: ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି। ସକାଳ ୯ଟା ୪୦ରେ ବିମାନବନ୍ଦରରୁ ବିସ୍ତାର ଏୟାରଲାଇନ୍ସ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାଯାଇଛି। ଭୁବନେଶ୍ୱରସ୍ଥିତ ଏମସିଏଲ୍ ଗେଷ୍ଟ ହାଉସରେ ଶୁଭେଚ୍ଛୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ଏମସିଏଲ୍ ଗେଷ୍ଟ ହାଉସରୁ ବାହାରିବା ସମୟରେ ଆଦିବାସୀ ମହିଳାମାନେ ଖୁସିରେ ନୃତ୍ୟ କରିବା ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବା ସମୟରେ ତାଙ୍କ ସହ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ନେତା, ଶୁଭେଚ୍ଛୁ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ ସହ ୬ଜଣ ବିଜେପି ବିଧାୟକ ବି ଦିଲ୍ଲୀ ଯାଉଥିବାର ଖବର ମିଳିଛି। ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ନିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ଖୋଲା ସମର୍ଥନ ଘୋଷଣା କରିଛନ୍ତି। କେବଳ ନିଜ ଦଳର ସମର୍ଥନ ଦେଇନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଟ୍ୱିଟ୍ କରି ଏହି ନିବେଦନ ଜଣାଇଛନ୍ତି। ଦୌପଦୀ ମୁର୍ମୁଙ୍କୁ ବିଜେଡିର ସମର୍ଥନ ମିଳିବା ସ୍ପଷ୍ଟ ହୋଇଯାଇଥିବାରୁ ଆଉ ଶ୍ରୀମତୀ ମୁର୍ମୁଙ୍କୁ ରାଇସିନା ହିଲ୍ରେ ପହଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।